ଅହମଦାବାଦ(ଓଡ଼ିଆ ନ୍ୟୁଜ୍) : ଚଳିତ IPL-2022 ଟାଇଟଲ ହାତେଇଛି ଗୁଜରାଟ ଟାଇଟନ୍ସ । ରବିବାରର ଲୋ ସ୍କୋରିଂ ଫାଇନାଲ୍ ତଥା ବହୁପ୍ରତୀକ୍ଷିତ ଟ୍ରଫି ଟକ୍କରରେ ରାଜସ୍ଥାନ ରୟାଲ୍ସକୁ ଏକତରଫା ଭାବେ ୭ ୱିକେଟ୍ରେ ହରାଇ ହାର୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧୀନ ଗୁଜୁରାଟ ଟାଇଟନ୍ସ ଏହି ଅନନ୍ୟ ସଫଳତା ଲାଭ କରିଛି। ତା’ ସହ ଆକର୍ଷଣୀୟ ଆଇପିଏଲ୍ ଟ୍ରଫି ଜିତିବାର ଗୌରବ ଅର୍ଜନ କରିଛି। ରାଜସ୍ଥାନ ଗୁଜୁରାଟ ସମ୍ମୁଖରେ ମାତ୍ର ୧୩୧ ରନ୍ର ବିଜୟ ଲକ୍ଷ୍ୟ ଧାର୍ୟ୍ୟ କରିଥିଲା। ଯାହାକୁ ଗୁଜରାଟ ୧୧ ବଲ୍ ପୂର୍ବରୁ ହାସଲ କରିନେଇ ବିଜେତା ଆଖ୍ୟା ଅର୍ଜନ କରିଥିଲା।
ରାଜସ୍ଥାନ ୨୩ ରନ୍ରେ ୨ ୱିକେଟ୍ ନେଇ ମ୍ୟାଚ୍ରେ କିଛିଟା ରୋମାଞ୍ଚ ଭରିବାକୁ ଚେଷ୍ଟା କରିଥିଲା। ହେଲେ ଶୁବମନ୍ ଗିଲ୍ ଓ ପାଣ୍ଡ୍ୟା ତୃତୀୟ ୱିକେଟ୍ରେ ୬୩ ରନ୍ ଯୋଡ଼ି ଗୁଜୁରାଟ ପାଇଁ ବିଜୟ ଆଶା ସୃଷ୍ଟି କରିଥିଲେ। ଦାୟିତ୍ବବାନ ବ୍ୟାଟିଂ କରି ଯୁବ ତାରକା ଶୁବମନ ଶେଷ ପର୍ୟ୍ୟନ୍ତ ଅପରାଜିତ ରହିବା ସହ (୪୫#) ଦର୍ଶନୀୟ ଛକାରେ ଗୁଜରାଟ ବିଜୟରେ ମୁଣ୍ଡି ମାରିଥିଲେ। ତା ସହ ରାଜସ୍ଥାନ ବିପକ୍ଷରେ ଗୁଜୁରାଟ ଲଗାତାର ତୃତୀୟ ମ୍ୟାଚ୍ ଜିତିବାର ସଫଳତା ବି ଲାଭ କରିଥିଲା। ତେବେ ଅଧିନାୟକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡ୍ ପରାକ୍ରମ ହିଁ ଗୁଜରାଟକୁ ବିଜୟ ମୁକୁଟ ପିନ୍ଧାଇଛି।