ଆସନ୍ତାକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ, ବିପର୍ଯ୍ୟୟ ପରିଚାଳନା ଓ ମାଓ ଦମନ ପ୍ରସଙ୍ଗରେ କରିବେ ସମୀକ୍ଷା
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆସନ୍ତାକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ତଥା ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହ । ଶ୍ରୀ ଶାହ ଶୁକ୍ରବାର ରାତ୍ରିରେ ଦିଲ୍ଲୀରୁ ବିମାନ ଯୋଗେ ଆସି ଭୁବନେଶ୍ୱରରେ ପଂହଚିବେ । ଶନିବାର ଦିନ ସକାଳେ ଶ୍ରୀ ଶାହ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହା ପରେ ଶ୍ରୀ ଶାହ ଅପରାହ୍ନରେ ରାଜ୍ୟ କାର୍ଯ୍ୟାଳୟଠାରେ ଦଳୀୟ କାର୍ଯ୍ୟକର୍ତା ଓ ନେତୃବୃନ୍ଦଙ୍କ ସହ ଆଲୋଚନା କରିବେ । ଶ୍ରୀ ଶାହ ସନ୍ଧ୍ୟାରେ ଭୁବନେଶ୍ୱରରୁ ବିମାନ ଯୋଗେ ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।
ଆସନ୍ତା ୫ରେ ନବୀନ-ଶାହାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ। ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହେବ ସମୀକ୍ଷା। ବୈଠକରେ ନବୀନ-ଶାହାଙ୍କ ବ୍ୟତୀତ ରାଜ୍ୟର କିଛି ମନ୍ତ୍ରୀ ମଧ୍ୟ ସାମିଲ ହେବେ। ଏହା ବ୍ୟତୀତ ମୁଖ୍ୟ ସଚିବ, ଉନ୍ନୟନ କମିଶନର ଓ ପୋଲିସ ଡିଜି ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାଜ୍ୟରେ ନକ୍ସଲ ଦମନ ନେଇ ସମୀକ୍ଷା କରିବେ। ବର୍ତ୍ତମାନ ରାଜ୍ୟରେ ନକ୍ସଲ ସ୍ଥିତିରେ ବେଶ ସୁଧାର ଆସିଛି। ଦିନେ ପ୍ରାୟ ୨୦ ଜିଲ୍ଲା ମାଓବାଦୀ ପ୍ରଭାବିତ ଜିଲ୍ଲା ଥିଲା। ଏବେ ଏ ସଂଖ୍ୟା ୧୦କୁ ଖସି ଆସିଛି। ଗୁରୁପ୍ରିୟା ସେତୁ ନିର୍ମାଣ ପରଠାରୁ ବିଛିନ୍ନଞ୍ଚଳ ସ୍ୱାଭିମାନ ଅଂଚଳରେ ପରିଣତ ହୋଇ ସାରିଛି। ବିକାଶର ନୂଆ ଫର୍ଦ୍ଦ ଯୋଡ଼ି ହେଉଛି। ଗତ ମାର୍ଚ୍ଚ ମାସରେ ହିଁ, ସ୍ୱାଭିମାନ ଅଞ୍ଚଳରେ ଯାଇ ବିକାଶର ଚିତ୍ର ଅନୁଧ୍ୟାନ କରିଥିଲେ ଫାଇଭ ଟି ସଚିବ ଭିକେ ପାଣ୍ଡିଆନ, ଉନ୍ନୟନ କମିଶନର ଅନୁ ଗର୍ଗ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା। ଆଗକୁ ନକ୍ସଲ ମୁକାବିଲା ନେଇ, କେନ୍ଦ୍ର ସରକାରଙ୍କଠାରୁ କଣ ସହଯୋଗର ଆବଶ୍ୟକତା ରହିଛି ତାହା ଉପରେ ଆଲୋଚନା ହେବ।