ତିନିଦିନିଆ ୟୁଏଇ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ତିନିଦିନିଆ ୟୁଏଇ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୟୁଏଇର ବୈଦେଶିକ ବ୍ୟାପାର ମନ୍ତ୍ରୀ, ଶିକ୍ଷା ରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟିବା ସହ ଆବୁଧାବୀର ଗ୍ଲୋବାଲ ଟେକ୍ ଇକୋସିଷ୍ଟମ୍ ହବ୍ ୭୧ ପରିଦର୍ଶନ କରିଛନ୍ତି । ୟୁଏଇ ମନ୍ତ୍ରୀଙ୍କ ସହ ହୋଇଥିବା ବୈଠକରେ ଭାରତ ଓ ୟୁଏଇ ଦ୍ୱିପାକ୍ଷିକ ସମ୍ପର୍କର ଶିକ୍ଷାକୁ ଶକ୍ତିଶାଳୀ ସ୍ତମ୍ଭ ଭାବରେ ପ୍ରତିଷ୍ଠା କରିବା ପାଇଁ ଆଲୋଚନା ହୋଇଥିବା ସୂଚନା ଦେଇଛନ୍ତି ଶ୍ରୀ ପ୍ରଧାନ । କେନ୍ଦ୍ରମନ୍ତ୍ରୀ ୟୁଏଇର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶେଖ୍ ଅବଦୁଲ୍ଲା ବିନ୍ ଜାୟେଦଙ୍କ ସହ ଭାରତ ଓ ୟୁଏଇ ମଧ୍ୟରେ ବହୁମୁଖୀ ସହଭାଗୀତାକୁ ଅଧିକ ଶକ୍ତିଶାଳୀ କରିବା ସହ ଭାଗିଦାରୀକୁ ଆଗେଇ ନେବା ଉପରେ ଆଲୋଚନା କରିଥିଲେ । ଏହି ଗସ୍ତକାଳରେ ଆବୁଧାବୀର ଗ୍ଲୋବାଲ ଟେକ୍ ଇକୋସିଷ୍ଟମ୍ ହବ୍ ୭୧ ପରିଦର୍ଶନ କରିଥିଲେ । ଏହାକୁ ଦେଖିବା ପରେ ସେ କହିଛନ୍ତି ଯେ ଏକ ସ୍ଥାୟୀ ଏବଂ ସମୃଦ୍ଧ ଭବିଷ୍ୟତ ଗଠନ ପାଇଁ ଉଦ୍ଭାବକ, ଉଦ୍ୟୋଗୀ ଏବଂ ନିବେଶକଙ୍କ ଏକ ଜୀବନ୍ତ ସମୁଦାୟ ମିଳିତ ଭାବରେ କାର୍ଯ୍ୟ କରୁଛନ୍ତି । ହବ୍ ୭୧ ଶିଳ୍ପ ଅଂଶୀଦାର, କର୍ପୋରେଟ୍, ନିବେଶକ, ପରାମର୍ଶଦାତା ଉଦ୍ୟୋଗର ଭାବନାକୁ ପ୍ରୋତ୍ସାହିତ କରିବା ଏବଂ ଷ୍ଟାର୍ଟଅପ୍ ଗୁଡ଼ିକୁ ଦ୍ରୁତ ଗତିରେ ବ୍ୟାପକ କରିବାରେ ସାହାଯ୍ୟ କରିବା ପାଇଁ ସମସ୍ତ ଆବଶ୍ୟକ ସହାୟତା ପ୍ରଦାନ କରନ୍ତି । ସାମଗ୍ରିକ ସମାଜ ଆଭିମୁଖ୍ୟ ସହିତ ଏଭଳି ଇକୋସିଷ୍ଟମ୍ ଦେଶର ସମ୍ପୂର୍ଣ୍ଣ ଉଦ୍ୟୋଗୀ ଏବଂ ଅଭିନବ ସମ୍ଭାବନାକୁ ଉପଲବ୍ଧି କରିବା ଦିଗରେ ଏକ ଚାବିକାଠି ଅଟେ ବୋଲି ସେ କହିଥିଲେ ।

ଆବୁଧାବୀରେ ନିର୍ମାଣାଧୀନ ବିଏପିଏସ୍ ହିନ୍ଦୁ ମନ୍ଦିର ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ କେନ୍ଦ୍ରମନ୍ତ୍ରୀ । ଉକ୍ତ ମନ୍ଦିରର କାନ୍ଥରେ ଥିବା ଜଗନ୍ନାଥ ସଂସ୍କୃତି ସହ ରଥଯାତ୍ରା କଳାକୃତିକୁ ପ୍ରଶଂସା କରିଥିଲେ କେନ୍ଦ୍ରମନ୍ତ୍ରୀ । ମନ୍ଦିରରେ ଜଗନ୍ନାଥ ସଂସ୍କୃତିର ଚିତ୍ରଣ ଜଗନ୍ନାଥ ଭକ୍ତ ଏବଂ ବିଶ୍ୱର ସମସ୍ତ ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ପୂର୍ବରୁ ଶ୍ରୀ ପ୍ରଧାନ ଜାଏଡ୍ ବିଶ୍ୱବିଦ୍ୟାଳୟ ପରିସରରେ ନିର୍ମାଣାଧୀନ ଆଇଆଇଟି ଦିଲ୍ଲୀ -ଆବୁଧାବୀ କ୍ୟାମ୍ପସକୁ ଯାଇଥିଲେ । ଏହା ଉଭୟ ଦେଶର ନେତୃତ୍ୱର ଦୂରଦର୍ଶିତା ଏବଂ ପ୍ରାଥମିକତାର ପ୍ରମାଣ । ଭାରତର ଶିକ୍ଷାକୁ ଆନ୍ତର୍ଜାତୀୟକରଣ କରିବା ପାଇଁ ଆଇଆଇଟି ଦିଲ୍ଲୀ-ଆବୁଧାବୀ କ୍ୟାମ୍ପସ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହା ଦ୍ୱାରା ଭାରତ ଓ ୟୁଏଇ ମଧ୍ୟରେ ସମୃଦ୍ଧି ଏବଂ ବିଶ୍ୱ କଲ୍ୟାଣ ପାଇଁ ଜ୍ଞାନର ଶକ୍ତିର ଉପଯୋଗ କରିବା ପାଇଁ ଅନେକ ସୁଯୋଗ ପ୍ରଦାନ କରିବ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ । ଗତକାଲି ଉଭୟ ଦେଶ ମଧ୍ୟରେ ଥିବା ଶିକ୍ଷା ସହଯୋଗକୁ ସୁଦୃଢ଼ କରିବା ପାଇଁ ଭାରତ ଓ ୟୁଏଇ ମଧ୍ୟରେ ଏକ ବୁଝାମଣାପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଥିଲା ।

Leave A Reply

Your email address will not be published.