ଲାଂଚ ନେବାବଳେ ପୁଲିସ ଅଧିକାରୀଙ୍କୁ ମାଡିବସିଲା ଭିଜିଲାନ୍ସ

0

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଆକ୍ସନ ମୋଡରେ ଭିଜିଲାନ୍ସ । ପୁଣି ଜଣେ ବଡ ବାବୁ ଭିଜିଲାନ୍ସ ଜାଲରେ ଫସିଛନ୍ତି । ଲସି ଦୋକାନରେ ଲାଞ୍ଚ ଦିଆନିଆ ଚାଲିଥିବାବେଳେ ହଠାତ୍ ଭିଜିଲାନ୍ସ ଅଧିକାରୀମାନେ ପହଞ୍ଚି ଯାଇ ଲାଞ୍ଚୁଆ ପୁଲିସ ଅଧିକାରୀଙ୍କୁ ମାଡ଼ି ବସିଲେ। ଆଖ ପାଖରେ ଥିବା ଲୋକେ କେହି କିଛି ବୁଝିବା ଆଗରୁ ଗାଡ଼ିରେ ଉଠାଇ ପୁଲିସ ଅଧିକାରୀଙ୍କୁ ନେଇ ପଳାଇଲା ଭିଜିଲାନ୍ସ। ବୌଦ୍ଧ-ଅନୁଗୋଳ ଜିଲ୍ଲା ସୀମାନ୍ତରେ ଥିବା କିଆକଟା ଥାନାର ଅଗଔ ଆଇଆଇସି ନବୀନ କୁମାର ଶତପଥୀ ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ନବୀନଙ୍କ ଠାରୁ ଭିଜିଲାନ୍ସ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ ପଚରାଉଚରା କରୁଛି । ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ସବଡିଭିଜନ ଅନ୍ତର୍ଗତ ବେଲାଡୋଲା ଗ୍ରାମର ପଞ୍ଚାନନ ମେହେର ନାମକ ଜଣେ ବୁଣାକାର ସୋନପୁର ଜିଲ୍ଲା ସୁବଳୟା ଅଞ୍ଚଳର ଡୋଳାମଣୀ ମେହେର ନାମକ ମହାଜନଙ୍କ ଅଧୀନରେ କାମ କରୁଥିଲେ। ମାତ୍ର ସ୍ୱଳ୍ପ ପାରିଶ୍ରମିକ ମିଳୁଥିବା ଅଭିଯୋଗ କରି ସେ ତାଙ୍କ ଅଧୀନରେ କାମ କରିବାକୁ ମନା କରି ଦେଇଥିଲେ।

ତେବେ ଏଥିରେ ଉତ୍‌କ୍ଷିପ୍ତ ହୋଇ ମହାଜନ ଡୋଳାମଣୀ ପଞ୍ଚାନନଙ୍କ ପରିବାରକୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଫଳରେ ପ୍ରାୟ ଏକ ସପ୍ତାହ ହେଲା ପଞ୍ଚାନନ ଏବଂ ତାଙ୍କ ପରିବାର ଜୀବନ ଭୟରେ ଘରଦ୍ୱାର ଛାଡି ବରଗଡ଼ ପଳାଇ ଆସି ରହିଥିଲେ। ସେଠାରେ କିଛି ଦିନ ରହିବା ପରେ ପଞ୍ଚାନନ ନିଜ ପରିବାର ନେଇ ବୌଦ୍ଧରେ ଥିବା ସମ୍ପର୍କୀୟଙ୍କ ଘରକୁ ପଳାଇଯାଇଥିଲେ। ସେଠାରେ ପଞ୍ଚାନନ ଅନୁଗୋଳ ଏସପିଙ୍କୁ ଭେଟି ଘଟଣାସମ୍ପର୍କରେ ଜଣାଇବା ସହ ସୁରକ୍ଷା ଓ ନ୍ୟାୟଭିକ୍ଷା କରିଥିଲେ। ହେଲେ ଏସ୍‌ପି କିଛି ବୁଝିନଥିଲେ। ଏନେଇ ପଞ୍ଚାନନ ନିରାଶ ହୋଇଯାଇଥିଲେ।

ପରେ ସେ କିଆକଟା ଅଗଔ ନବୀନ ଶତପଥୀଙ୍କୁ ଭେଟି ଘଟଣାସମ୍ପର୍କରେ କହିଥିଲେ। ଅଗଔ ଏହି ଘଟଣାର ସମାଧାନ କରିଦେବେ ବୋଲି କହିଥିଲେ।ଏଥିପାଇଁ ପଞ୍ଚାନନଙ୍କୁ ୨୦ହଜାର ଟଙ୍କା ମାଗିଥିଲେ। ହେଲେ ପଞ୍ଚାନନ ୨୦ ହଜାର ଟଙ୍କା ଦେଇ ପାରିବେନି ବୋଲି କହିଥିଲେ। ୧୫ହଜାର ଟଙ୍କା ଦେବେ ବୋଲି କଥା ଛିଣ୍ଡିଥିଲା।ଅଗ୍ରୀମ ବାବଦକୁ ନବୀନ ୨ହଜାର ଟଙ୍କା ନେଇଥିଲେ। ବକେୟା ଟଙ୍କା ପରେ ଦେବାକୁ ପଞ୍ଚାନନଙ୍କୁ ନବୀନ କହିଥିଲେ। ଏନେଇ ପଞ୍ଚାନନ ବ୍ରହ୍ମପୁର ଭିଜିଲାନ୍ସ ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଅଧିକାରୀମାନେ ନିର୍ଦ୍ଦିଷ୍ଟ ସ୍ଥାନରେ ଛକି ରହିଥିଲେ। ଆଜି ସକାଳେ ନବୀନ ଏକ ଲସି ଦୋକାନରେ ବକେୟା ଟଙ୍କା ନେବାବେଳେ ଭିଜିଲାନ୍ସ ଅଧିକାରୀ ତାଙ୍କୁ ଧରିଥିଲେ।

Leave A Reply

Your email address will not be published.