ଦୀର୍ଘ ୧୭ ଦିନ ପରେ ଟନେଲରୁ ଉଦ୍ଧାର ହେଲେ ଶ୍ରମିକ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଦୀର୍ଘ ୧୭ ଦିନ ପରେ ଟନେଲରୁ ଉଦ୍ଧାର ହେଲେ ଶ୍ରମିକ । ଶ୍ରମିକଙ୍କୁ ଉଦ୍ଧାର ପାଇଁ ଏହି ମହା-ଅପରେସନ୍‌ରେ ରାଟ୍‌ ହୋଲ୍‌ ମାଇନର୍ସଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ଶେଷ ୧୦ରୁ ୧୨ ମିଟରକୁ ହାତରେ ଖୋଳି ଅସମ୍ଭବକୁ ସମ୍ଭବ କରି ଦେଖାଇଥିଲେ ରାଟ୍‌ ହୋଲ୍‌ ମାଇନର୍ସ । ୭ରୁ ଅଧିକ ଏଜେନ୍ସିର ଅକ୍ଲାନ୍ତ ପରିଶ୍ରମ ପରେ ଅନ୍ଧାରୀ ଟନେଲ ଭିତରୁ ରକ୍ଷା ପାଇଲା ୪୧ ଜୀବନ । ସବୁ ଶ୍ରମ, ସବୁ ଉଦ୍ୟମ, ସବୁ ପ୍ରାର୍ଥନା ସଫଳ ହୋଇଛି । ରେସ୍କ୍ୟୁ ପାଇପ୍‌ ଭିତର ଦେଇ ଗୁରୁଣ୍ଡି ଗୁରୁଣ୍ଡି ସୁରକ୍ଷିତ ଭାବେ ଫେରିଛନ୍ତି ଜଣେ ପରେ ଜଣେ ସାହସୀ ଶ୍ରମିକ ।

ଶ୍ରମିକଙ୍କୁ ଉଦ୍ଧାର ପାଇଁ ଏହି ମହା-ଅପରେସନ୍‌ରେ ରାଟ୍‌ ହୋଲ୍‌ ମାଇନର୍ସଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ଶେଷ ୧୦ରୁ ୧୨ ମିଟରକୁ ହାତରେ ଖୋଳି ଅସମ୍ଭବକୁ ସମ୍ଭବ କରି ଦେଖାଇଥିଲେ ରାଟ୍‌ ହୋଲ୍‌ ମାଇନର୍ସ । ଜୀବନକୁ ବାଜି ଲଗାଇ ମାଟି ଖୋଳି ଭିତରେ ପଶିବା ଏତେ ସହଜ ନ ଥିଲା । ଯାହା ୧୬ ଦିନ ଯାଏ ହୋଇ ନ ଥିଲା ୧୭ ଦିନରେ ତାହା କରି ଦେଖାଇଥିଲେ । ସୂଚନା ଅନୁସାରେ, ୧ଘଣ୍ଟା ୩୩ ମିନିଟ ଭିତରେ ସମସ୍ତ ୪୧ ଜଣ ଶ୍ରମିକ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲେ । ଟନେଲ ଭିତରୁ ଶ୍ରମିକମାନେ ବାହାରିବା ପରେ ସେମାନଙ୍କୁ ଫୁଲମାଳ ପିନ୍ଧାଇ କେନ୍ଦ୍ରମନ୍ତ୍ରୀ ଭି.କେ. ସିଂ ଏବଂ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସ୍ୱାଗତ କରିଥିଲେ । ଏଥିସହ ଉଦ୍ଧାରକାରୀଙ୍କ ପିଠି ଥାପୁଡ଼େଇ ସାବାସୀ ଦେଇଥିଲେ ।

ଏହାପରେ ଶ୍ରମିକମାନଙ୍କୁ ତୁରନ୍ତ ପୂର୍ବରୁ ପ୍ରସ୍ତୁତ ଥିବା ୪୧ଟି ଆମ୍ବୁଲାନ୍ସ ଯୋଗେ ମେଡିକାଲକୁ ନିଆଯାଇଥିଲା । ସେମାନଙ୍କ ମଧ୍ୟରୁ କେହି ବି ଗୁରୁତର ନାହାନ୍ତି ବୋଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।ଉଦ୍ଧାର କାର୍ଯ୍ୟ ସରିବା ପରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି କହିଛନ୍ତି ଯେ, ଟନେଲର ସେଫ୍ଟି ଅଡିଟ୍ ହେବ । ଏହି ଘଟଣା ଅନେକ କିଛି ଶିଖାଇଲା । ଘଟଣା କିପରି ଘଟିଲା ଅନୁଧ୍ୟାନ କରାଯିବ ଏବଂ ଟନେଲ କାମରେ ନିରାପତ୍ତାକୁ ଅଧିକ ଗୁରୁତ୍ୱ ଦିଆଯିବ । ଏଭଳି ଘଟଣା ପ୍ରଥମ ଥର ପାଇଁ ଘଟିଛି । ଆଗକୁ ଯେପରି ଏହାର ପୁନରାବୃତ୍ତି ନଘଟେ ସେଦିଗରେ ଧ୍ୟାନ ଦିଆଯିବ ବୋଲି ଗଡ଼କରୀ କହିଛନ୍ତି ।

Leave A Reply

Your email address will not be published.