ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ଆଗୁଆ ନିର୍ବାଚନ ନେଇ କେନ୍ଦ୍ରମନ୍ତ୍ରୀ ଧ୍ରମେନ୍ଦ୍ର ପ୍ରଧାନଙ୍କ ବୟାନକୁ ନେଇ ଜୋର ଧରିଛି ଚର୍ଚ୍ଚା। ଏହି ଚର୍ଚ୍ଚା ଉପରେ ବ୍ରେକ୍ ଲଗାଇଛନ୍ତି, ପଶ୍ଚିମ ଓଡ଼ିଶାର ବିଜେଡିର ଟାଣୁଆ ନେତା ସୁଶାନ୍ତ ସିଂ। ଆଗୁଆ ନିର୍ବାଚନକୁ ନେଇ ସ୍ପଷ୍ଟ ମତ ରଖିଛନ୍ତି। ବିଜେଡି କେବେ ଆଗୁଆ ନିର୍ବାଚନ ଚାହେଁନା। ଲୋକେ ଆମକୁ ୫ ବର୍ଷ ପାଇଁ ଭୋଟ୍ ଦେଇଛନ୍ତି। କିନ୍ତୁ ଯେଉଁ ରାଜ୍ୟଗୁଡ଼ିକରେ ଆଗକୁ ନିର୍ବାଚନ ରହିଛି ସେଠି କିଛି ରାଜ୍ୟରେ ବିଜେପି ସ୍ଥିତି ଖରାପ। ସେଠାରେ ବିଜେପି ହାରିଲେ ତାହା ୨୪ ନିର୍ବାଚନ ଉପରେ ପ୍ରଭାବ ପଡ଼ିବ। ତେଣୁ ସେଥିପାଇଁ କେନ୍ଦ୍ର ବିଜେପି ଯୋଜନା କରୁଛି ଆଗୁଆ ନିର୍ବାଚନ କରିବା ପାଇଁ। ଯଦି କେନ୍ଦ୍ର ଲୋକସଭା ନିର୍ବାଚନ ପାଇଁ ଆଗୁଆ କରିବାକୁ ନିଷ୍ପତି ନିଅନ୍ତି ତାହା ହେଲେ ବିଜେଡି ସୁପ୍ରିମୋ ଲୋକସଭା ସଙ୍ଗେ ନିର୍ବାଚନ କରିବାକୁ ପ୍ରସ୍ତାବ ଦେଇପାରନ୍ତି। ନଚେତ ବିଜେଡି କେବଳ ବିଧାନସଭା ନିର୍ବାଚନ ଆଗୁଆ କରିବ ନାହିଁ। ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ମୁଁ ଶୁଣୁଛି ଏଠି ଆଗୁଆ ନିର୍ବାଚନ ହୋଇଯିବ।
୨୦୨୩ ଜାନୁଆରୀରେ ବିଜେଡି ସୁପ୍ରିମୋ ପଦ୍ମପୁର ଯିବେ। ବିଜେଡି ସେଠି ଧନ୍ୟବାଦ ସମାବେଶ କରିବ। ସେହି ସମାବେଶ ମାଧ୍ୟମରେ ୨୪ ପାଇଁ ବିଜେଡି ସୁପ୍ରିମୋ ନିର୍ବାଚନୀ ବିଗୁଲ ବଜାଇବେ ବୋଲି କୁହାଯାଉଛି। ସେପଟେ ବିଜେଡି କହିଛି ୨୪ ପାଇଁ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛି।
ପଦ୍ମପୁର ଉପ ନିର୍ବାଚନରେ ବୃହତ ବିଜୟ ବିଜେଡି ନେତା ଓ କର୍ମୀଙ୍କ ପାଇଁ ଆଣିଛି ନୂଆ ଜୋସ୍। ୨୦୧୯ରୁ ଏହା ଭିତରେ ୭ଟି ଉପ ନିର୍ବାଚନରୁ ୬ଟିରେ ଦଳ ଜିତିଛି। କିନ୍ତୁ ପଦ୍ମପୁର ଉପ ନିର୍ବାଚନ ବିଜେଡି ପାଇଁ ସ୍ୱତନ୍ତ୍ର ଥିଲା। ପଦ୍ମପୁର ଅପେକ୍ଷା ବିଜେପୁର ଓ ବ୍ରଜରାଜନଗରରେ ବିଜେଡି ଅଧିକ ମାର୍ଜିନରେ ଜିତିଛି। କିନ୍ତୁ ପାର୍ଟି ଓ ନେତାଙ୍କ ଭିତରେ ପଦ୍ମପୁର ବିଜୟ ଭରିଛି ନୂଆ ଉତ୍ସାହ।.