ଆହୁରି ୫ଦିନ ରହିବ ତାତି

0

ଓଡ଼ିଆ ନ୍ୟୁଜ, ଭୁବନେଶ୍ୱର : ଆଶ୍ୱିନ ଆସି ଅଧା ହେଲାଣି। ଆଉ ଏହି ସମୟରେ ଶୀତର ପହିଲି ଛୁଆଁ ଦେହରେ ଲାଗିଥାଏ। ମାତ୍ର ଏବେ ରାଜ୍ୟରେ ଅନୁଭୂତ ହେଉଛି ବୈଶାଖ ସମ ତାତି। ରାଜ୍ୟରେ ଶରତ ଋତୁରେ ଜାରି ରହିଛି ଗ୍ରୀଷ୍ମର ଲହର । ପ୍ରଚଣ୍ଡ ଖରା ସାଙ୍ଗକୁ ତାତିରେ କଲବଲ ହେଉଛନ୍ତି ରାଜ୍ୟବାସୀ । ଉପକୂଳରୁ ଉପାନ୍ତ ସବୁଠି ଜାରି ରହିଛି ଭୟଙ୍କର ଗ୍ରୀଷ୍ମପ୍ରବାହ । ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ରହୁଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ରାଜ୍ୟରେ ୩୬ ଡିଗ୍ରୀ ଉପରେ ରହୁଛି ୭ ସହରର ତାପମାତ୍ରା ।

ତେବେ ଆଗାମୀ ୫ଦିନ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ରାଜ୍ୟର ଅଧିକାଂଶ ସ୍ଥାନରେ ଆକାଶ ମେଘମୁକ୍ତ ରହିଛି । ଆକାଶ ନିର୍ମଳ ଥିବାରୁ ବହୁ ସ୍ଥାନର ତାପମାତ୍ରା ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ସେଲସିୟସ ଅଧିକ ରହିଛି । ରାତି ତାପମାତ୍ରା ମଧ୍ୟ ସ୍ବାଭାବିକଠାରୁ ଗୋଟିଏ ଦୁଇ ଡିଗ୍ରୀ ଅଧିକ ରହିପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଅନ୍ୟପଟେ ରାଜ୍ୟରୁ ମୌସୁମୀ ଅପସାରଣ ନେଇ ପାଗ ଅନୁକୂଳ ରହିଛି । ଦିନେ ଦୁଇ ଦିନରେ ରାଜ୍ୟର କିଛି କିଛି ସ୍ଥାନରୁ ମୌସୁମୀ ବାୟୁ ଅପସାରଣ ଆରମ୍ଭ ହେବ। ୩୭ ଡିଗ୍ରୀ ସହ ଚାନ୍ଦବାଲି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିବା ବେଳେ ଅନ୍ୟ ୫ ଟି ସହରରେ ତାପମାତ୍ରା ୩୬ ଡିଗ୍ରୀ ଉପରେ ରହିଛି। ତାତି ସହ ତାପମାତ୍ରା ବୃଦ୍ଧି ଚାଷ ଉପରେ ପ୍ରଭାବ ପକାଇବା ଆରମ୍ଭ କରିଛି।

ବିଶେଷ କରି ତାତି ଯୋଗୁଁ ଧାନ ଫସଲ ପ୍ରଭାବିତ ହେବାର ଆଶଙ୍କା ରହିଛି। କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଦେବାଶିଷ ଜେନା କହିଛନ୍ତି ଯେ ବର୍ତ୍ତମାନ ଧାନ ଫୁଲ ଧରିବା ସ୍ଥିତିରେ। ଏବେ ଉଭୟ ଦିନ ଓ ରାତିର ତାପମାତ୍ରା ଅଧିକ ରହୁଛି। ମୁଖ୍ୟତଃ ରାତି ତାପମାତ୍ରା ଅଧିକ ରହିଲେ ଧାନ ଉପରେ କୁପ୍ରଭାବ ପଡ଼ିବ। ଏହାଦ୍ୱାରା ଧାନର ଗର୍ଭଧାରଣ ପ୍ରକ୍ରିୟାରେ ପ୍ରଭାବ ପଡ଼ିବ। ଦ୍ୱିତୀୟରେ ପରାଗ ସଂଗମ ଓ ଫଳ ଧରିବା ପ୍ରକ୍ରିୟାରେ ମଧ୍ୟ ବାଧା ସୃଷ୍ଟି ହେବ। ଏହି ସମୟରେ ତାପମାତ୍ରା ଅଧିକ ଓ ପାଣିର ଅଭାବ ରହିଲେ ଧାନ ଅମଳ କ୍ଷମତା ହ୍ରାସ ହୋଇଥାଏ। ଏହାଦ୍ୱାରା ପ୍ରାୟତଃ ୬୦ ପ୍ରତିଶତ ପର୍ଯ୍ୟନ୍ତ ଅମଳ ହ୍ରାସ ହେବାର ଆଶଙ୍କା ରହିଥାଏ ବୋଲି ସେ କହିଛନ୍ତି।

Leave A Reply

Your email address will not be published.