ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଦିନକୁ ଦିନ ଦୁର୍ଘଟଣାର ମାତ୍ରା ବଢ଼ି ଚାଲିଛି। ଏହାକୁ ରୋକିବା ତଥା ଦୁର୍ଘଟଣାର କାରଣ ଜାଣିବା ପାଇଁ ହେବ ସାଇଣ୍ଟିଫିକ୍ ତଦନ୍ତ । ଦୁର୍ଘଟଣାର କାରଣ, ଏଥିପାଇଁ କିଏ ଦାୟୀ, ରାସ୍ତା ନିର୍ମାଣରେ ଥିବା ଇଞ୍ଜିନିୟରିଂ ତ୍ରୁଟି ଆଦି ଦିଗ ଉପରେ ହେବ ତଦନ୍ତ ।
ଏ ନେଇ ସଡକ ଦୁର୍ଘଟଣା ପରେ କିପରି ସାଇଣ୍ଟିଫିକ୍ ଇନଭେଷ୍ଟିଗସନ ହୋଇପାରିବ ତା ଉପରେ ପୋଲିସ ଓ ପରିବହନ ଅଧିକାରୀଙ୍କୁ ଦିଆଯାଇଛି ସ୍ୱତନ୍ତ୍ର ତାଲିମ । ସଡକ ଦୁର୍ଘଟଣାର ହେବ ସାଇଣ୍ଟିଫିକ୍ ଇନଭେଷ୍ଟିଗେସନ୍ । ଏ ନେଇ ତିଆରି ହୋଇଛି ଇଣ୍ଟିଗ୍ରେଟେଡ ରୋଡ଼ ଆକ୍ସିଡେଣ୍ଟ ଡାଟାବେସ୍ ଆପ୍ । ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ହାର ଉଦ୍ବେଗଜନ ଭାବେ ବଢ଼ୁଥିବାରୁ ଏଥିରେ ରୋକ୍ ଲଗାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ।
ଦୁର୍ଘଟଣାଜନିତ ମୃତ୍ୟୁହାର ନିୟନ୍ତ୍ରଣ ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଦୁର୍ଘଟଣାର ପ୍ରଥମ ଏକ ଘଣ୍ଟା ବା ଗୋଲ୍ଡେନ ଆୱାରରେ ଆହତଙ୍କୁ ଉଦ୍ଧାର କରି ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିବା ପାଇଁ ରକ୍ଷକ ଯୋଜନା ଆରମ୍ଭ କରାଯାଇଥିଲେ ବି ସେତେଟା ଫଳପ୍ରଦ ହୋଇପାରି ନାହିଁ ।
ତଥ୍ୟ ମୁତାବକ ଦୁର୍ଘଟଣା ଯୋଗୁଁ ବର୍ଷକୁ ପାଖାପାଖି 5 ହଜାର ଲୋକଙ୍କର ମୃତ୍ୟୁ ବେଉଛି । ଦୈନିକ ପ୍ରାୟ 15ଜଣ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି । ଦୁର୍ଘଟଣାରେ ଏକାଧିକ ଲୋକ ମୃତାହତ ହେଲେ ସ୍ପେସାଲ ଟିମ୍ ତଦନ୍ତ କରିବ । ଏହି ଟିମ୍ରେ ଜଣେ ପୋଲିସ ଅଧିକାରୀ, ଇଞ୍ଜିନିୟର, ଆର୍ଟିଓ ଓ ଜଣେ ବୈଷୟିକ ଅଧିକାରୀ ରହିବେ । 8 ଟି ଭିନ୍ନ ଭିନ୍ନ ଦିଗକୁ ନେଇ 10 ଦିନ ମଧ୍ୟରେ ପୁଲିସ ଆଇଜିଙ୍କୁ ଏସମ୍ପର୍କିତ ରିପୋର୍ଟ ପ୍ରଦାନ କରାଯିବ ।
ଏଆଜି ପୁଲିସ ସେବା ଭବନରେ ପୋଲିସ ଓ ପରିବହନ ଅଧିକାରୀଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଇଛି। ଦୁର୍ଘଟଣା ସମ୍ପର୍କିତ ସମସ୍ତ ଡାଟା IRAD ଆପ୍ଲିକେସନରେ ରହିବ । ଯାହା ଫଳରେ ଦୁର୍ଘଟଣାର ପ୍ରକୃତ କାରଣ, ତଦନ୍ତର ଦିଗ, କ୍ଷତିଗସ୍ତଙ୍କୁ କ୍ଷତିପୂରଣ ଦିଗରେ ସହାୟକ ହେବ ।
ସେହିପରି ଶୃଙ୍ଖଳିତ ଗାଡି ଚଳାଚଳ ଦିଗରେ ଟ୍ରାଫିକ ଭାୟୋଲେସନ ଡିଟେକ୍ଟର ସିଷ୍ଟମ କାମ କରିବ । ସିସିଟିଭି ଆଧାରରେ ଇ-ଚାଲାଣକୁ ଫୋକସ କରାଯିବ । ବାରମ୍ବାର ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରୁଥିବାରୁ NHAI ସହଯୋଗରେ ବ୍ଲାକସ୍ପଟ୍ ସ୍ଥାନରେ କିଭଳି ଜୀବନ ରକ୍ଷା କରାଯାଇପାରିବ ସେ ନେଇ ଟ୍ରେନିଂ ସେସନରେ ଗୁରୁତ୍ୱାରୋପ କରାଯାଇଥିବା ସୂଚନା ମିଳିଛି।