ଟାଟାଷ୍ଟୀଲକୁ ଖଣି ଚିନ୍ତା, ଆଦିବାସୀଙ୍କୁ ପାଣି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଟାଟାଷ୍ଟୀଲକୁ ଖଣି ଚିନ୍ତା, ଆଦିବାସୀଙ୍କୁ ପାଣି | ଯୋଡା ସହର ନିକଟ କ୍ୟାମ୍ପ ହାଟିଂରେ ବସୁଧା ଯୋଜନା ଫେଲ୍, ପାନୀୟ ଜଳ ପାଇଁ ଚୁଆଁ ଭରଷା | ଟାଟାଷ୍ଟିଲ ଖଣି ପ୍ରଭାବିତ, ଯୋଡା ବ୍ଲକ ଅନ୍ତର୍ଗତ ଭୂୟାଁ ରୋଇଡା ପଞ୍ଚାୟତର କ୍ୟାମ୍ପ ହାଟିଂର ଲୋକେ ସ୍ବାଧୀନତାର ୭୬ ବର୍ଷ ପରେ ମଧ୍ୟ ପାନୀୟ ଜଳର ସମସ୍ୟା ଦେଇ ଗତି କରୁଛନ୍ତି। ଦୀର୍ଘ ଦିନରୁ ଲୋକେ ଏହି ସମସ୍ୟା ଦେଇ ଗତି କରୁଥିବା ବେଳେ କିଛି ସାମ୍ବାଦିକ ଖବର ସଂଗ୍ରହ ପାଇଁ ସେହି ଗ୍ରାମ ଦେଇ ଯାଉଥିବା ସମୟରେ ଗ୍ରାମର ମହିଳା ମାନେ ଚୁଆଁରୁ ପାଣି ନେଉଥିବା ଦୃଶ୍ୟ ଦେଖି ଅଟକି ଯାଇଥିଲେ |

ଆଶ୍ଚର୍ଯ୍ୟର କଥା, ସ୍ବାଧୀନତାର ୭୬ ବର୍ଷ ପରେ ମଧ୍ୟ ଖଣି ଜିଲ୍ଲା ତଥା ଓଡିଶାର ଧନୀଜିଲ୍ଲା କେନ୍ଦୁଝର ଏବଂ ବହୁ ରାଷ୍ଟ୍ରୀୟ ଟାଟାଷ୍ଟିଲ କମ୍ପାନୀର ଖଣି ପ୍ରଭାବିତ ଅଞ୍ଚଳର ଲୋକେ ଅତ୍ୟାବଧି ପାନୀୟ ଜଳ ସମସ୍ୟା ଦେଇ ଗତି କରୁଥିବା ବେଳେ ସରକାରଙ୍କ ବସୁଧା ଯୋଜନା ସହ ପ୍ରତି ଘରେ ଘରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଫଳକର ଧଜିଆ ଉଡାଇ ଦେଇଛି। ଅବଶ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ଖଣିଜ ପାଣ୍ଠି ସହାୟତାରେ ଗ୍ରାମରେ ୨ଟି ସୋଲାର ବୋରୱେଲ୍ କରା ଯାଇଥିବା ବେଳେ ସେଥିରୁ ଗୋଟିଏ ଦୀର୍ଘ ଦିନରୁ ଅଚଳ ଅବସ୍ଥାରେ ରହିଛି। ଗ୍ରାମରେ ପ୍ରାୟ ହଜାରେରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଥିବା ବେଳେ ଅଧିକାଂଶ ଆଦିବାସୀ। ଗାଁ ପାଖ ଦେଇ ବହି ଯାଇଛି ସୁନାନଦୀ।

କୁହାଯାଏ ଜଳ, ଜମି, ଜଙ୍ଗଲ ଉପରେ ପ୍ରଥମେ ଆଦିବାସୀଙ୍କ ଅଧିକାର ରହିଛି, ମାତ୍ର ଦୀର୍ଘ ବର୍ଷ ଧରି ଏହି ସୁନାନଦୀରୁ ଟାଟାଷ୍ଟିଲ ବଡବଡ ପାଇପ୍ ଯୋଗେ ପ୍ରଚୁର ପାଣି ନିଜ ବ୍ୟବହାର ପାଇଁ ଶୋଷି ନେଉଥିବା ବେଳେ ପ୍ରଭାବିତ କ୍ୟାମ୍ପହାଟିଂର ଆଦିବାସୀ ମାନେ ଚୁଆଁରୁ ପାଣି ପିଉଛନ୍ତି। ଅନ୍ୟ ଦିନରେ ତ ଚଳେ ମାତ୍ର ବର୍ଷାଦିନରେ ନଦୀ ବଢି ଯିବାରୁ ଏହି ଚୁଆଁ ପାଣି ବ୍ୟବହାର ଅନୁଉପଯୋଗୀ ହୋଇ ପଡେ। ଫଳରେ ଲୋକେ ପିଇବା ପାଣି ପାଇଁ ବାର ଦୁଆର ଘୁରି ବୁଲନ୍ତି। ପାନୀୟ ଜଳ ସମସ୍ୟା ନେଇ ସ୍ଥାନୀୟ ଲୋକେ ବାରମ୍ବାର ଟାଟାଷ୍ଟିଲ କମ୍ପାନୀର ଦ୍ବାରସ୍ଥ ହୋଇ ନିରାଶ ହୋଇ ସାରିଥିବା ବେଳେ ଏବେ ସରକାରଙ୍କ ଉପରେ ଆଶା ବାନ୍ଧି ରଖିଛନ୍ତି

ଏଠାରେ ପ୍ରଶ୍ନ ଉଠେ ବର୍ଷ ବର୍ଷ ଧରି ଯୋଡା ଅଞ୍ଚଳରେ ରହି କୋଟି କୋଟି ଟଙ୍କା ଆୟ କରୁଥିବା ଟାଟାଷ୍ଟିଲ ନିଜ ଖଣି ପ୍ରଭାବିତ ଗ୍ରାମକୁ ସାମାନ୍ୟ ପାନୀୟ ଜଳର ସୁବିଧା କରି ପାରି ନାହିଁ ହେଲେ କମ୍ପାନୀର ସି.ଏସ୍.ଆର୍ ଟଙ୍କା ଖର୍ଚ୍ଚ ହେଉଛି କଉଠି ? ନା କିଛି ସ୍ଥାନୀୟ ଜନପ୍ରତିନିଧିଙ୍କୁ ଧରି ଆଦିବାସୀଙ୍କ ଅଧିକାରକୁ ଦଳି ମକଚି ଦେଇ କେବଳ ନିଜ ଖଣି ବ୍ୟବସାୟ ବିସ୍ତାର କରିବାରେ ଲାଗିଛି ତାହା ବିଚାର ଯୋଗ୍ୟ। ଠିକ୍ ଅଛି ଟାଟାଷ୍ଟିଲ ଯଦି ଶୁଣିଲା ନାହିଁ ହେଲେ ସରକାର ତ ଶୁଣିବା କଥା। ତାହା ବି ହୋଇ ପାରୁ ନାହିଁ। ଲୋକଙ୍କ ପାନୀୟ ଜଳ ସମସ୍ୟା ନେଇ ଭୂୟାଁ ରୋଇଡା ପଞ୍ଚାୟତର ସରପଞ୍ଚକଙ୍କ ଫୋନ ଯୋଗେ ପଚାରିବାରୁ ତାଙ୍କ ସ୍ଵାମୀ ଫୋନ ଉଠାଇଥିଲେ ସତ ମାତ୍ର କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ନ ଥିଲେ।
ବ୍ୟୁରୋ ରିପୋର୍ଟ

Leave A Reply

Your email address will not be published.