ମ୍ୟାଚ ପୂର୍ବରୁ ଧମକପୂର୍ଣ୍ଣ ଟ୍ଵିଟ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ) :  ଆଜି ସେମିଫାଇନାଲ ଲଢ଼େଇ । ନ୍ୟୁଜିଲାଣ୍ତ ଓ ଭାରତ ମଧ୍ୟରେ ବିଶ୍ୱକପରେ ସେମି ଟକ୍କର । ଯିଏ ଜିତିବ ଫାଇନାଲରେ ସ୍ଥାନ ପକ୍କା କରିବ । ଏନେଇ ଦର୍ଶକ ଓ ଖେଳାଳି ଉଭୟ ଉତ୍ସାହିତ । ତେବେ ଏହାରି ମଧ୍ୟରେ ଧମକ ପୂର୍ଣ୍ଣ ଟ୍ୱିଟ ମୁମ୍ବାଇ ପୋଲିସର ନିଦ ହଜାଇ ଦେଇଛି । ମୁମ୍ବାଇ ପୋଲିସ୍‌ ଆକାଉଣ୍ଟକୁ ଟ୍ୟାଗ୍‌ କରି ସନ୍ଦିଗ୍ଧ ଦେଇଛି ଧମକ। ଓ୍ୱାଙ୍ଖେଡେ ଷ୍ଟାଡିୟମରେ ବଡ଼ ଧରଣର ବିସ୍ଫୋରଣ ତଥା ଅଘଟଣ ଘଟାଇବେ ବୋଲି ଚେତାବନୀ ଦିଆଯାଇଛି। ଏଥିସହ ବନ୍ଧୁକ, ଗୁଳି ଏବଂ ହ୍ୟାଣ୍ଡଗ୍ରେନେଡ୍‌ ସହ ଫଟୋ ଟ୍ୟାଗ କରିଛି ସନ୍ଦିଗ୍ଧ।

କେବଳ ସେତିକି ନୁହେଁ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ ବେଳେ ନିଆଁ ଲଗାଇଦେବୁ କଣ୍ଟେଣ୍ଟ ଥିବା ଏକ ଫଟୋକୁ ମଧ୍ୟ ପୋଷ୍ଟ କରାଯାଇଛି।ଧମକ ବାର୍ତ୍ତା ଦେଇଥିବା ବ୍ୟକ୍ତିଙ୍କ ପରିଚୟ ମିଳି ନ ଥିବାରୁ ବାର୍ତ୍ତାର ସତ୍ୟତା ଉପରେ ସନ୍ଦେହ ସୃଷ୍ଟି ହୋଇଛି। କିନ୍ତୁ, ପୁଲିସ କର୍ତ୍ତୃପକ୍ଷ ଏଭଳି ବାର୍ତ୍ତା ଉପରେ ଗୁରୁତ୍ବାରୋପ କରି ଖେଳାଳି, ଦର୍ଶକ ଓ ସର୍ବସାଧାରଣଙ୍କ ସୁରକ୍ଷା ପ୍ରତି ସୁନିଶ୍ଚିତ ହେବାକୁ ଅତିରିକ୍ତ ସୁରକ୍ଷା କର୍ମଚାରୀ ମୁତୟନ କରିଛି।  ଏଭଳି ଧମକପୂର୍ଣ୍ଣ ମେସେଜ ମିଳିବା ପରେ ଓ୍ୱାଙ୍ଖେଡେରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ନେଇ ପୁଲିସ ସୂଚନା ଦେଇଛି। ଷ୍ଟାଡିୟମ ଚାରିପଟେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ପାଖାପଖି ୯୦୦ ପୁଲିସ କର୍ମୀ ନିୟୋଜିତ କରାଯାଇଛି। ଓ୍ୱାଙ୍ଖେଡେ ଷ୍ଟାଡିୟମର ସମସ୍ତ ୧୦ଟି ଗେଟ୍‌ ସାମ୍ନାରେ ପାର୍କିଂ ବ୍ୟାନ୍‌ କରାଯାଇଛି। ଷ୍ଟାଡିୟମ ଠାରୁ ଏକ କିଲୋମିଟର ଦୂରରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ଭାରତୀୟ ଦଳର ସମସ୍ତ ଖେଳାଳି ଚମତ୍କାର ଫର୍ମରେ ରହିଛନ୍ତି ।

ବ୍ୟାଟରଙ୍କ ମଧ୍ୟରେ ରୋହିତ ଶର୍ମା, ବିରାଟ କୋହଲି, ଶୁବମାନ ଗିଲ, ଶ୍ରେୟାସ ଆୟର, କେଏଲ ରାହୁଲ ସମସ୍ତେ ଭଲ ପ୍ରଦର୍ଶନ ଦେଇ ଆସିଛନ୍ତି । ସେହିପରି ବୋଲରଙ୍କ ମଧ୍ୟରେ ଜଶପ୍ରୀତ ବୁମରା, ମହମ୍ମଦ ଶାମୀ ଓ ମହମ୍ମଦ ସିରାଜଙ୍କ ପ୍ରଦର୍ଶନ ମଧ୍ୟ ବେଶ ଉଚ୍ଚକୋଟୀର ରହିଛି । ଏଣୁ ଆଜିର ମ୍ୟାଚ ପାଇଁ ଭାରତ ନିହାତି ଭାବରେ ପ୍ରମୁଖ ଦାବିଦାର ରୂପେ ଉଭା ହୋଇଛି । ତେବେ ନ୍ୟୁଜିଲାଣ୍ତକୁ ମଧ୍ୟ ଡାର୍କ ହର୍ସ କୁହାଯାଏ । ବିଶ୍ୱର ଯେକୌଣସି ଦଳକୁ ହରାଇବାର କ୍ଷମତା ନ୍ୟୁଜିଲାଣ୍ତ ପାଖରେ ରହିଛି । ଭାରତ ବିପକ୍ଷ ମ୍ୟାଚରେ ଦଳ ନିଜର ସବୁ ଶକ୍ତି ଲଗାଇ ଜିତିବାକୁ ଚେଷ୍ଟା କରିବ ବୋଲି ଅଧିନାୟକ କେନ ୱିଲିୟମସନ୍ କହି ସାରିଛନ୍ତି । ମୋଟ ଉପରେ ଯେଉଁ ଦଳ ଶ୍ରେଷ୍ଠ ପ୍ରଦର୍ଶନ ଦେବ, ସିଏ ଫାଇନାଲ ଖେଳିବ ।

Leave A Reply

Your email address will not be published.