ଓଡ଼ିଆ ନ୍ୟୁଜ (ବ୍ୟୁରୋ) :ରାଜ୍ୟରେ ବିପଦରେ ବାଘବଂଶ । ବିଶ୍ୱ ବ୍ୟାଘ୍ର ଦିବସରେ କେନ୍ଦ୍ର ସରକାର ରିପୋର୍ଟ ଜାରି କରିଛନ୍ତି । ଶିମିଳିପାଳରେ ବଢିଛି ବାଘ ସଂଖ୍ୟା, କିନ୍ତୁ ଓଡ଼ିଶାରେ କମିଛି। ଆଜି କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁସାରେ ଶିମିଳିପାଳରେ ବାଘ ସଂଖ୍ୟା ୮ରୁ ୧୬କୁ ବୃଦ୍ଧି ପାଇଛି। ୨୦୧୮ରେ ଶିମିଳିପାଳରେ ୮ଟି ବାଘ ଥିବା ବେଳେ ବର୍ତ୍ତମାନ ତାହା ୧୬କୁ ବୃଦ୍ଧି ପାଇଛି।
କିନ୍ତୁ ମୋଟ ଉପରେ ଦେଖିବାକୁ ଗଲେ ଓଡ଼ିଶା ସୀମା ଭିତରେ ଆସୁଥିବା ଜଙ୍ଗଲରେ କମିଛି ବାଘ ସଂଖ୍ୟା। ୨୦୧୮ରେ ରାଜ୍ୟରେ ୨୮ଟି ବାଘ ଥିବା ବେଳେ ଏ ବର୍ଷ ତାହା ୨୦କୁ ଖସି ଆସିଛି। ଏହି ବାଘ ଗଣନା ୨୦୨୧-୨୨ରେ କରାଯାଇଥିଲା। ପ୍ରତି ୪ ବର୍ଷରେ ଥରେ ଦେଶରେ ବାଘ ଗଣନା କରାଯାଇଥାଏ। ଆଜି ବିଶ୍ୱ ବ୍ୟାଘ୍ର ଦିବସରେ ଏସଂପର୍କିତ ରିପୋର୍ଟ ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର।
ଓଡିଶାରେ ଦିନକୁ ଦିନ ବାଘ ସଂଖ୍ୟା କମୁଥିବା ତଥ୍ୟ କହୁଛି । କିନ୍ତୁ ସେ ଦିଗରେ ରାଜ୍ୟ କିମ୍ବା କେନ୍ଦ୍ର ସରକାର ବିଶେଷ ଗୁରୁତ୍ବ ଦେଲା ଭଳି ମନେ ହେଉନି। କାରଣ ବାଘଙ୍କ ସୁରକ୍ଷା ଓ ସେମାନଙ୍କ ବଂଶ ବୃଦ୍ଧି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ବେ ଅସୁରକ୍ଷିତ ହୋଇପଡ଼ିଛି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ। ଏଠାରେ ଅବାଧରେ ବାଘ ଶିକାର କରି ଦାନ୍ତ, ନଖ, ଚମଡ଼ାକୁ ବାହାରକୁ ଚାଲାଣ କରୁଛନ୍ତି ଶିକାରୀ। ସ୍ଥିତି ଏମିତି ଯେ ଶିମିଳିପାଳ ଅଭୟାରଣ୍ୟ ଭବିଷ୍ୟତରେ ବାଘଶୂନ୍ୟ ହୋଇଯିବାର ଆଶଙ୍କା ବି ଆଦୌ ଅମୂଳକ ନୁହେଁ।