ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ସଂସଦରେ ହୋହାଲ୍ଲା କାରଣରୁ ସୋମବାର ୭୮ ସାଂସଦଙ୍କୁ ନିଲମ୍ବିତ କରାଯାଇଛି। ସଂସଦ ଭିତରେ ଏବଂ ବାହାରେ ପ୍ରତିବାଦ କରୁଛନ୍ତି ଉଭୟ ଗୃହରୁ ନିଲମ୍ବିତ 92 ବିରୋଧୀ ସାଂସଦ ।
ଏହାରି ଭିତରେ ଏକ ଅଭାବନୀୟ ଘଟଣା ଘଟିଛି । ଏହି ନିଲମ୍ବିତ ସାଂସଦ ଗୃହ ବାହରେ ସିଡ଼ି ନିକଟରେ ବିରୋଧ ପ୍ରଦର୍ଶନ କରୁଛନ୍ତି। ତେବେ ଏହାରି ମଧ୍ୟରେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀଙ୍କ ଏକ କାର୍ଯ୍ୟକୁ ନେଇ ବେଶ୍ ଚର୍ଚ୍ଚା ହେଉଛି। ସଂସଦ ବାହାରେ ବିରୋଧ ପ୍ରଦର୍ଶନ ସମୟରେ ତୃଣମୂଳ କଂଗ୍ରେସ ସାଂସଦ କଲ୍ୟାଣ ବାନାର୍ଜୀ, ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ଼ଙ୍କୁ ନେଇ ମିମିକ୍ରି କରିଛନ୍ତି । ଆଉ ଏହାର ଭିଡିଓ ସୁଟ୍ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ଟିଏମସି ସାଂସଦଙ୍କ ଏଭଳି ଆଚରଣକୁ ନିନ୍ଦା କରିଛନ୍ତି ଧନକଡ଼ । ସେ କହିଛନ୍ତି ଯେ ଏହା ଦୁର୍ଭାଗ୍ୟଜନକ ଘଟଣା ।
ସୂଚନା ଅନୁଯାୟୀ, ମଙ୍ଗଳବାର ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ବିରୋଧ କରୁଥିବା ସମୟରେ, ରାଜ୍ୟସଭା ବାଚସ୍ପତି ଜଗଦୀପ ଧନଖଡ଼ଙ୍କ ମିମିକ୍ରି କରିଥିଲେ। ସେ ରାଜ୍ୟସଭା ଚେୟାରମ୍ୟାନଙ୍କ ଭଳି ଗୃହ ପରିଚାଳନା ଏବଂ ତାଙ୍କ ଭାବଭଙ୍ଗୀର ଥଟ୍ଟା କରିଥିଲେ। ଏହି ସମୟରେ ରାହୁଲ ଗାନ୍ଧୀ ମଧ୍ୟ ତାଙ୍କ ସାମ୍ନା ଥିଲେ। ଖାଲି ସେତିକି ନୁହେଁ ତାଙ୍କର ମିମିକ୍ରିରେ ସେଠାରେ ଥିବା ସାଂସଦମାନେ ହସୁଥିଲେ ଏବଂ ରାହୁଲ ଭିଡିଓ ମଧ୍ୟ କରୁଥିଲେ |
ଏବେ ଏହି ମାମଲାରେ ନିଜେ ଜଗଦୀପ ଧନଖଡ଼ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହା ବ୍ୟତୀତ ସେ ରାଜ୍ୟସଭାରେ ମଧ୍ୟ ଏକଥା କହିଛନ୍ତି। ଧନଖଡ଼ କହିଛନ୍ତି ‘‘ଲଜ୍ଜାଜନକ, ହାସ୍ୟାସ୍ପଦ ଏବଂ ଅସ୍ବୀକାର୍ଯ୍ୟ ଯେ ଜଣେ ସାଂସଦ ଥଟ୍ଟା କରୁଛନ୍ତି ଏବଂ ଅନ୍ୟ ଜଣେ ସେହି ଘଟଣା ଭିଡିଓ କରୁଛନ୍ତି। ଭଗବାନ ସେମାନଙ୍କୁ ସଦ୍ବୁଦ୍ଧି ଦିଅନ୍ତୁ।’’ ସେ ଆହୁରି କହିଛନ୍ତି ଚେୟାରମ୍ୟାନ ପଦ ଭିନ୍ନ ହୋଇଥାଏ। ପକ୍ଷ କିମ୍ବା ବିପକ୍ଷ ଭାବରେ ରାଜନୀତିକ ଦଳ ପରସ୍ପର ସହ ଯୁକ୍ତତର୍କ କରିପାରିବେ। କିନ୍ତୁ ଏହଥିରୁ ଚେୟାରମ୍ୟାନଙ୍କୁ ଦୂରରେ ରଖିବା ଦରକାର।’’