ଆଜି ମେଲାଣି ନେବେ ମା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ମେଲାଣି ନେବେ ମା । ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବେଶ୍ ଧୂମଧାମରେ ବିଦାୟ ନେବେ ମା’ଦୁର୍ଗା । ଭୁବନେଶ୍ୱର ଓ କଟକରେ ଭସାଣ ଉତ୍ସବ ପାଇଁ କମିସନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ତେବେ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭୁବନେଶ୍ୱର ଓ କଟକରେ ଭସାଣି ଉତ୍ସବକୁ ଆକର୍ଷଣୀୟ କରିବାକୁ ପୂଜା କମିଟି ବିଭିନ୍ନ ପ୍ରକାର ଆୟୋଜନ କରିଛନ୍ତି । ଗତ ରାତିରୁ କଟକରେ ଭସାଣି ଆରମ୍ଭ ହୋଇସାରିଛି ।

ମେଢ଼ ଗୁଡ଼ିକ ନିର୍ଦ୍ଦିଷ୍ଟ ରୁଟ୍‌ରେ ସାହି ପରିକ୍ରମା କରି ଦେବୀଗଡ଼ା ନିକଟରେ ପହଞ୍ଚିବା ପରେ ସେଠାରେ ବିସର୍ଜନ କରାଯିବ । କଟକ ସହର ଏବେ ପାରମ୍ପରିକ ବାଦ୍ୟର ଧ୍ବନିରେ କମ୍ପୁଛି। ବିଭିନ୍ନ ମଣ୍ଡପରୁ ଦୁର୍ଗାଙ୍କ ଭସାଣି ଯାତ୍ରା ଆରମ୍ଭ ହୋଇଛି। ଗତକାଲି ରାତିରୁ ଭସାଣି ପର୍ବ ଆରମ୍ଭ ହୋଇ ଏବେ ଏହା ଜମି ଆସୁଛି। ଛତ୍ରବଜାର ମେଢ ଏବେ ସାହି ପରିକ୍ରମା କରୁଥିବାର ସୂଚନା ରହିଛି। ଅନ୍ୟ କେତେକ ମେଢକୁ ଏବେ ଭସାଣି ଯାତ୍ରାରେ ନିଆଯାଉଛି। ଏଥିଲାଗି କଟକ ସହର ଏବେ ଲୋକାରଣ୍ୟ ହୋଇଛି। ଆଜି ଦେବୀଗଡ଼ା ଘାଟଠାରେ ବିସର୍ଜନ ପର୍ବ ଅନୁଷ୍ଠିତ ହେବ। ଦେବୀଗଡ଼ା ଘାଟଠାରେ ବି ଜନଗହଳି ପରିଲକ୍ଷିତ ହେଉଛି। ଏଣେ ସହରର ବିଭିନ୍ନ ସ୍ଥାନରେ ମେଢମାନଙ୍କୁ ଦେଖିବା ଲାଗି ଲୋକେ ସପରିବାର ପହଞ୍ଚଥିବାର ଦେଖିବାକୁ ମିଳୁଛି। ତେଣେ ଭସାଣି ଯାତ୍ରା ପାଇଁ କମିଶନରେଟ ପୁଲିସ ପକ୍ଷରୁ ସ୍ବତନ୍ତ୍ର ଗାଇଡଲାଇନ୍ ଜାରି ହୋଇଛି। ଭସାଣି ବେଳେ ମୁଖ୍ୟ ରାସ୍ତାରେ ଯାନବାହନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି।

କଲେଜ ଛକଠାରୁ ବକ୍ସିବଜାର ପର୍ଯ୍ୟନ୍ତ ଯାନବାହାନ ଚଳାଚଳ ମନା। ଠିକ୍ ସେହିପରି ତିନିକୋଣିଆ ବଗିଚାରୁ ଚାନ୍ଦିନୀଚୌକ ଯାଏଁ ରାସ୍ତାରେ ବି ଭସାଣ ବେଳେ କୌଣସି ଯାନବାହନ ଚଳାଚଳ କରିପାରିବ ନାହିଁ। ଏଣେ ଚଣ୍ଡୀଛକରୁ ଶେଖ ବଜାର ଓ ମହମ୍ମଦିଆ ବଜାର ବାଟଦେଇ ଚାନ୍ଦିନୀଚୌକ ଯାଏଁ ରାସ୍ତାରେ ବି ଗାଡ଼ି ଚଳାଚଳକୁ ବାରଣ କରାଯାଇଛି। ଠିକ୍ ସେହିପରି ଜାଉଁଳିଆପଟିରୁ ଫିରଙ୍ଗି ବଜାର ଦେଇ ଦେବୀଗଡ଼ା ଯାଏ ବି ଯାନବାହନ ଚଳାଚଳ ମନା। ତେଣେ ଚୌଧୁରୀ ବଜାରରୁ ପୂର୍ଣ୍ଣ ସାହି ଯାଏ ବି ଯାନବାହନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ଏନେଇ ଜନସାଧାରଣଣଙ୍କୁ ସହଯୋଗ କରିବାକୁ କମିଶନରେଟ ପୁଲିସ ପକ୍ଷରୁ ନିବେଦନ କରାଯାଇଛି। ଉକ୍ତ ନିୟମ ଉଲ୍ଲଂଘନ କରିଲେ, ୫୦୦ ଟଙ୍କାରୁ ୧ ହଜାର ଟଙ୍କା ଯାଏ ଜରିମାନା ଆଦାୟ କରାଯିବା ନେଇବି ଚେତାବନୀ ଦିଆଯାଇଛି।

Leave A Reply

Your email address will not be published.