ଓଡିଆ ନ୍ୟୁଜ (ବ୍ୟୁରୋ): ଆଜି ଆନ୍ତର୍ଜାତୀୟ ଜନଜାତି ଦିବସ । ଏହି ଦିବସକୁ ନିଆରା ଢଙ୍ଗରେ ପାଳୁଛି ବିଜୁ ଜନତା ଦଳ । ଆଜିଠୁ ଆରମ୍ଭ ହୋଇଛି ଆଦିବାସୀ ଅଧିକାର ଅଭିଯାନ । ରାଜ୍ୟର ସମସ୍ତ ସଂରକ୍ଷିତ ଅଞ୍ଚଳରେ ଦିବସ ପାଳନ କରାଯାଉଛି । ଆଦିବାସୀଙ୍କ ପାରମ୍ପରିକ ନାଚଗୀତ ପରିବେଷଣ ହେଉଛି । ଦେଖିବାକୁ ମିଳୁଛି ସେମାନଙ୍କ ସଭ୍ୟତା ଓ ବେଶଭୁଷା ଝଲକ । ସଂରକ୍ଷିତ ଅଞ୍ଚଳ ପରିଦର୍ଶନ କରି ଆଦିବାସୀଙ୍କ ସମସ୍ୟା ବୁଝିୁଛନ୍ତି ବିଜେଡି ନେତା । ଏଥିପାଇଁ ସୁପ୍ରିମୋ ନବୀନ ପଟ୍ଟନାୟକ ନେତାଙ୍କୁ ଦାୟିତ୍ବ ପ୍ରଦାନ କରିଛନ୍ତି ।
ଆଦିବାସୀଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ବିଶେଷ ଦୃଷ୍ଟି ଦେଇଛନ୍ତି । ପାଠପଢାରୁ ଆରମ୍ଭ କରି ନିଯୁକ୍ତି ପାଇଁ ବିଭିନ୍ନ ଯୋଜନା କରିଛନ୍ତି । କିଛି ଦିନ ତଳେ ରାଷ୍ଟ୍ରପତି ତଥା ଓଡ଼ିଶାର ଆଦିବାସୀ ଝିଅ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ନବୀନ ଯେଉଁ ପଦକ୍ଷେପ ନେଇଥିଲେ, ତାହା ସାରା ବିଶ୍ବ ଦେଖିଛି । ଅପହଞ୍ଚ ଆଦିବାସୀ ଅଞ୍ଚଳକୁ ବିଦ୍ୟୁତ୍ ସେବାରୁ ଆରମ୍ଭ କରି ଡାକ୍ତର ନିଯୁକ୍ତି କରାଯାଇଛି । ସ୍ବାଭିମାନ ଅଞ୍ଚଳର ବିକାଶ କଥା ଏବେ କାହାକୁ ଅଛପା ନାହିଁ । କୋଭିଡ ଯୋଗୁ ଦୁଇ ବର୍ଷ ହେବ ଏହାକୁ ପାଳନ କରାଯାଇନଥିଲା ।
ଏହି ଦବସ ଅବସରରେ ‘ମୋ ଜଙ୍ଗଲ ଜମି ଯୋଜନା’ କାର୍ଯ୍ୟକ୍ରମର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନଜାତି ବୌଦ୍ଧିକ ସମ୍ପତ୍ତିର ସୁରକ୍ଷା, ଯୋଗ୍ୟ ବ୍ୟକ୍ତିଗତ ତଥା ଗୋଷ୍ଠୀଗତ ଜଙ୍ଗଲ ଅଧିକାରକୁ ସୁନିଶ୍ଚିନ୍ତ କରିବା, ଜଙ୍ଗଲ ଜୈବ ବିବିଧତା ସଂରକ୍ଷଣ ଓ ଜୀବନ ଜୀବିକା ପ୍ରଣାଳୀରେ ସ୍ଥାୟିତ୍ୱ ରକ୍ଷା ଇତ୍ୟା ଏହି ଯୋଜନାର ଲକ୍ଷ୍ୟ ରହିଛି ।