ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ହେଉଛି ମାର୍ଗଶୀର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି। ଏହି ପବିତ୍ର ତିଥିରୁ ତିନିଦିନ ଧରି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ। ଏହାକୁ ଦେବ ଦୀପାବଳି ବୋଲି କୁହାଯାଏ । ଦେବ ଦୀପାବଳିରେ ମହାପ୍ରଭୁ ତାଙ୍କର ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ସହିତ ଦୀପ ଦାନ କରିଥାନ୍ତି। ଏହି ପିତୃପୁରୁଷଙ୍କ ମଧ୍ୟରେ ଅଦିତି-କଚ୍ଛପ, ଦଶରଥ-କୋଶଲ୍ୟା-କୈକୟୀ-ସୁମିତ୍ରା, ନନ୍ଦ-ଯଶୋଦା, ବସୁଦେବ-ଦେବକୀ ଓ ରାଜା ଇନ୍ଦ୍ରଦ୍ୟୁମ୍ନ- ରାଣୀ ଗୁଣ୍ଡିଚାଙ୍କ ଉଦେଶ୍ୟରେ ଦୀପଦାନ କରାଯାଇଥାଏ। ଆସନ୍ତାକାଲି(ମଙ୍ଗଳବାର) ଦ୍ଵିତୀୟ ଦିନ ଅମାବାସ୍ୟା ତିଥିରେ ଦଶରଥ ଓ କୌଶଲ୍ୟାଙ୍କ ଉଦେଶ୍ୟରେ ଦୀପଦାନ ଓ ଶ୍ରାଦ୍ଧ ଦିଆଯିବ ।
ତୃତୀୟ ଦିନ ଅର୍ଥାତ ପ୍ରତିପଦା ତିଥିରେ ମହାପ୍ରଭୁ ଦେବକୀ, ବାସୁଦେବ, ନନ୍ଦ, ଯଶୋଦା, ମହାରାଜା ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚା ରାଣୀଙ୍କୁ ଦୀପଦାନ କରିବା ସହ ଶ୍ରାଦ୍ଧ ତର୍ପଣ ଦେବାର ପରମ୍ପରା ରହିଛି । ଏହିଦିନ ମାନଙ୍କରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରାଦ୍ଧ ବେଶରେ ପିତୃପୁରୁଷ ଉଦ୍ଦେଶ୍ୟରେ ଶ୍ରାଦ୍ଧ ତର୍ପଣ ଆଦି କରିବା ସହ ଆଜି ମହାଦୀପ ମଧ୍ୟ ପ୍ରଜ୍ବଳିତ ହୋଇଥାଏ । ତେଣୁ ଏହାକୁ ଦେବ ଦୀପାବଳି କୁହାଯାଏ । ସଂଧ୍ୟା ଧୂପ ପରେ ପୁଷ୍ପାଳକ ସେବାୟତମାନେ ମହାପ୍ରଭୁଙ୍କୁ ଶ୍ରାଦ୍ଧ ବେଶରେ ନାଗପୁରୀ ଶାଢୀ ଚାଦରରେ ଭୂଷିତ କରାଇଥାନ୍ତି। ଏହି ବେଶରେ ଶ୍ରୀବିଗ୍ରହ ମାନେ ଧଳାବସ୍ତ୍ର ପରିଧାନ କରିଥାନ୍ତି । ତିନି ଦିନ ଧରି ପୁରୀରେ ଘରେ ଘରେ ହେବ ଦୀପ ପ୍ରଜ୍ୱଳନ।
ଆସନ୍ତାକାଲି ବଡ଼ଦାଣ୍ଡରେ ହେବ ସମୂହ ଦୀପଦାନ। ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟର ଓ ଛତିଶାନିଯୋଗ ପକ୍ଷରୁ ୧ ଲକ୍ଷ ଦୀପ ପ୍ରଜ୍ୱଳନ ହେବ। ଏଥିରେ ଭକ୍ତଙ୍କ ସହ ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ସ୍ୱେଚ୍ଛାସେବୀ ସଙ୍ଗଠନ ସାମିଲ ହେବେ। ବିଶ୍ୱର ମଙ୍ଗଳ କାମନା କରି ମହାପ୍ରଭୁଙ୍କୁ ଉଦ୍ଦେଶ୍ୟରେ ସମୂହ ଦୀପଦାନ କରାଯିବ।