ଆଜି ପବିତ୍ର ଧନୁ ସଂକ୍ରାନ୍ତି

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ଆଜି ପବିତ୍ର ଧନୁ ସଂକ୍ରାନ୍ତି। ଧନୁ ମାସର ପ୍ରଥମ ଦିନକୁ ଧନୁ ସଂକ୍ରାନ୍ତି ଭାବେ ପାଳନ କରାଯାଏ। ଏହି ଦିନ ସୂର୍ଯ୍ୟ ଧନୁ ରାଶିରେ ପ୍ରବେଶ କରିଥାନ୍ତି। ଧନୁ ରାଶି ଦେବଗୁରୁ ବୃହସ୍ପତିଙ୍କ ରାଶି ହୋଇଥିବାରୁ ଏଥିିରେ ସୂର୍ଯ୍ୟଙ୍କ ପ୍ରବେଶ ବିଶେଷ ପ୍ରଭାବ ଆଣିଥାଏ।

କୃଷିପ୍ରଧାନ ରାଜ୍ୟ ଓଡ଼ିଶା ପାଇଁ ପୌଷ ମାସ ହେଉଛି ସମୃଦ୍ଧିର ମାସ। ଏହି ସମୟରେ ଚାଷୀଘରକୁ ଅମଳ ହୋଇଥିବା ଖାଦ୍ୟଶସ୍ୟ ଆସିଥାଏ। ଏହି ସଂକ୍ରାନ୍ତିର ସ୍ୱରୂପ ବର୍ଣ୍ଣନା କରି ପଞ୍ଜିକାକାର କହନ୍ତି ଏ ସଂକ୍ରାନ୍ତିର ନାମ ମହୋଦରୀ। ପୁଷ ମାସରେ ଧାନ ଅମଳ ପରେ ‘ଉଖୁଡା’ ବା ‘ମୁଆଁ’ର ପ୍ରସ୍ତୁତି ଓଡ଼ିଆ ଚଳଣିର ଏକ ବିଶେଷତ୍ୱ। ‘ମୁଆଁ’ ହେଉଛି ଧନୁ ସଂକ୍ରାନ୍ତିର ଲୋକପ୍ରିୟ ଭୋଗ। ଧନୁ ସଂକ୍ରାନ୍ତି ଦିନ ମୁଆଁକୁ ଠାକୁରଙ୍କ ପାଖରେ ଭୋଗ ଲଗାଯାଏ।

ଶ୍ରୀଜଗନ୍ନାଥଙ୍କ ସେବା ନିଆରା। ଠାକୁରଙ୍କ ସେବାରେ ଶୃଙ୍ଗାର, ବୀର, ବାତ୍ସଲ୍ୟାଦି ସମସ୍ତ ରସର ସେବା ରହିଥାଏ। ତନ୍ମଧ୍ୟରୁ ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ବାତ୍ସଲ୍ୟ ରସର ବିଧି ରହିଛି। ବିଶ୍ୱାସ ରହିଛି ମାତା ଯଶୋଦା ରାତି ନ ପାହୁଣୁ, କାଉ କା କରିବା ପୂର୍ବରୁ ଶ୍ରୀକୃଷ୍ଣଙ୍କୁ ବିଭିନ୍ନ ଲଘୁ ଦ୍ରବ୍ୟ ଖୁଆଇ ଦିଅନ୍ତି। ଏହି ଭୋଗ ହେଉଛି ମାତା ଯଶୋଦାଙ୍କର ପୁତ୍ର ପ୍ରତି ବାତ୍ସଲ୍ୟ, ସ୍ନେହ ତଥା ନୈସର୍ଗିକ ପ୍ରେମର ନିଦର୍ଶନ ଏବଂ ଏହା ଶ୍ରୀମନ୍ଦିରରେ ବହୁ ପ୍ରାଚୀନ କାଳରୁ ପ୍ରଚଳିତ ବୋଲି କୁହାଯାଏ।

Leave A Reply

Your email address will not be published.