ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପୁରୀରେ ଚାଲିଥିବା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ଆଜି ଦ୍ୱିତୀୟ ଦିନ। ଏହି ବୈଠକରେ ରାଜନୈତିକ ସ୍ଥିତି ଉପରେ ଆଲୋଚନା ହେବା ପରେ ଆଜି ପାରିତ ହେବ ରାଜନୈତିକ ଚିଠା ପ୍ରସ୍ତାବ। ସାମ୍ପ୍ରତିକ ରାଜନୈତିକ ସ୍ଥିତି ଉପରେ ହେବ ଚର୍ଚ୍ଚା ଓ ଆଲୋଚନା। ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ରାଜନୈତିକ ଚିଠା ପ୍ରସ୍ତାବ ପାରିତ ହେବ।
ସେହିପରି ତିନୋଟି ଧନ୍ୟବାଦ ପ୍ରସ୍ତାବ ଆଗତ ହେବ। ୨୪ ନିର୍ବାଚନରେ ଓଡ଼ିଶାରେ ବିଜେପି ସରକାର ଆଣିବାରେ ସହାୟକ ହୋଇଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦିଆଯିବ। ସେହିପରି ବିଜେପି ସରକାର ଗଠନ କରିବା ପରେ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ମଧ୍ୟରୁ ଶ୍ରୀମନ୍ଦିର ଚାରି ଦ୍ଵାର ଖୋଲିବା, ରତ୍ନ ଭଣ୍ଡାର ଖୋଲିବା ସହ ଅଳଙ୍କାରର ମଣତି ଗଣତି ପାଇଁ ପଦକ୍ଷେପ ନେବା। ଧାନର ସର୍ବନିମ୍ନ କ୍ଵିଣ୍ଟାଲ ପିଛା ମୂଲ୍ୟ ୩୧ ଶହ ଟଙ୍କା କରିବା ଏବଂ ସୁଭଦ୍ରା ଯୋଜନା ଲାଗୁ କରିବା ପାଇଁ ପଦେକ୍ଷପ ନେବା ଦିଗରେ କ୍ୟାବିନେଟ ମୋହର ମାରିବା। ଏହାକୁ ନେଇ ବିଜେପି ରାଜ୍ୟ କାର୍ଯ୍ୟକାରିନୀ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦିଆଯିବ।
ଗତକାଲି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇ କର୍ମୀଙ୍କୁ ମନ୍ତ୍ର ଦେଇଥିଲେ। ଶାସକ ଦଳରେ କଣ ରହିବ କର୍ମୀଙ୍କ ଭୂମିକା, ବିଜୟର ଶ୍ରେୟ ଦେବା ସହ ଆଉ କିଛି ଟାସ୍କ ବି ଦେଇଥିଲେ। ଏଥିସହ ଆଗାମୀ ଦିନରେ ସରକାରଙ୍କ କାମ ଲୋକଙ୍କୁ ପାଖକୁ ନେଇ ଯିବାକୁ କହିଥିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ। ଏହା ସହ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇ ସରକାରକୁ ଆସିଥିଲା, ସେସବୁ ପୂରଣ କରାଯିବ ବୋଲି ଦୃଢୋକ୍ତି ପ୍ରକାଶ ପାଇଛି।