ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଆଜି ବିଶ୍ୱ କର୍କଟ ସଚେତନତା ଦିବସ । ପୁରା ବିଶ୍ୱରେ ପ୍ରତିବର୍ଷ ୮୨ ଲକ୍ଷ ଲୋକ କର୍କଟ ରୋଗରେ ମୃତ୍ୟୁ ବରଣ କରନ୍ତି । ଏହା ମଧ୍ୟରେ ପାଖାପାଖି ୪୦ ଲକ୍ଷ ଲୋକ ଅଳ୍ପ ବୟସରେ ଅର୍ଥାତ୍, ୩୦ ରୁ ୪୦ ବର୍ଷ ମଧ୍ୟରେ ପ୍ରାଣ ହରାଇ ଥାଆନ୍ତି |ଭାରତରେ ପ୍ରତିବର୍ଷ ନଭେମ୍ବର ସାତ ତାରିଖରେ ପାଳିତ ହୁଏ ଜାତୀୟ କର୍କଟ ସଚେତନତା ଦିବସ । କର୍କଟ ପ୍ରତିରୋଧ ସହ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାର ଚିହ୍ନଟ ସମ୍ପର୍କରେ ସଚେତନ କରିବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ । ଦେଶରେ କର୍କଟ ଚିକିତ୍ସାର ସୁବିଧା ପ୍ରଦାନ ପାଇଁ ୧୯୭୫ରେ ଜାତୀୟ କର୍କଟ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଆରମ୍ଭ କରା ଯାଇଥିଲା ।
ପିଲାଙ୍କ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତ ବୟସର ଲୋକମାନେ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି । ତେବେ ଜୀବନଶୈଳୀରେ ପରିବର୍ତ୍ତନ ସହିତ ଖାଦ୍ୟପେୟରେ ଅନିୟମିତତା ଯେଉଁଭଳି ଭାବେ ପରିଲକ୍ଷିତ ହେଉଛି, ଏଭଳି ଧାରା ଆଗରୁ ଜାରି ରଖିଲେ ଆସନ୍ତା କିଛି ବର୍ଷ ମଧ୍ୟରେ କର୍କଟ ରୋଗୀଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି । ଏହା ସ୍ୱାସ୍ଥ୍ୟ ସେବା ଉପରେ ଏକ ବଡ଼ ଚାପ ହୋଇପାରେ । ଏହାର ବିପଦକୁ ବିଚାରକୁ ନେଇ ସମସ୍ତ ଲୋକ କର୍କଟ ରୋଗକୁ ରୋକିବା ପାଇଁ ପଦକ୍ଷେପ ନେବା ଉଚିତ୍ ବୋଲି ପରାମର୍ଶ ଦିଆଯାଇଥାଏ |
ରିପୋର୍ଟ ଅନୁସାରେ, ପ୍ରତିବର୍ଷ ମହିଳାଙ୍କ କ୍ଷେତ୍ରରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଇଣ୍ଡିଆନ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚର ଏକ ରିପୋର୍ଟ ଅନୁଯାୟୀ, ଭାରତର ପ୍ରତି 1 ଲକ୍ଷ ମହିଳାଙ୍କ ମଧ୍ୟରୁ 105.4 ଜଣ ସ୍ତନ କର୍କଟ ରୋଗରେ ଚିକିତ୍ସା କରାଉଛନ୍ତି। ଏହି ଗମ୍ଭୀର କର୍କଟ ରୋଗକୁ ରୋକିବା ପାଇଁ ଅକ୍ଟୋବର ମାସରେ ସ୍ତନ କର୍କଟ ସଚେତନତା ମାସ ପାଳନ କରାଯାଏ।