ଆଜି ବିଶ୍ୱ ବ୍ୟାଘ୍ର ଦିବସ, ଅକ୍ଟୋବରରୁ ବାଘ ଗଣିବେ ରାଜ୍ୟ ସରକାର

0

ଓଡିଆ ନ୍ୟୁଜ (ବ୍ୟୁରୋ) : ଆଜି ବିଶ୍ୱ ବ୍ୟାଘ୍ର ଦିବସ । ଓଡିଶାରେ ଦିନକୁ ଦିନ ବାଘ ସଂଖ୍ୟା କମୁଥିବା ତଥ୍ୟ କହୁଛି । କିନ୍ତୁ ସେ ଦିଗରେ ରାଜ୍ୟ କିମ୍ବା କେନ୍ଦ୍ର ସରକାର ବିଶେଷ ଗୁରୁତ୍ବ ଦେଲା ଭଳି ମନେ ହେଉନି। କାରଣ ବାଘଙ୍କ ସୁରକ୍ଷା ଓ ସେମାନଙ୍କ ବଂଶ ବୃଦ୍ଧି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ବେ ଅସୁରକ୍ଷିତ ହୋଇପଡ଼ିଛି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ। ଏଠାରେ ଅବାଧରେ ବାଘ ଶିକାର କରି ଦାନ୍ତ, ନଖ, ଚମଡ଼ାକୁ ବାହାରକୁ ଚାଲାଣ କରୁଛନ୍ତି ଶିକାରୀ। ସ୍ଥିତି ଏମିତି ଯେ ଶିମିଳିପାଳ ଅଭୟାରଣ୍ୟ ଭବିଷ୍ୟତରେ ବାଘଶୂନ୍ୟ ହୋଇଯିବାର ଆଶଙ୍କା ବି ଆଦୌ ଅମୂଳକ ନୁହେଁ।

ଅନ୍ୟପଟେ ବାଘ ଓ ହାତୀ ଗଣନା କରିବେ ରାଜ୍ୟ ସରକାର। ଅକ୍ଟୋବରରୁ ଆରମ୍ଭ ହେବ ବାଘ ଗଣନା। ଦୁଇଟି ପର୍ୟ୍ୟାୟରେ ହେବ ଗଣନା। ଟ୍ରାଞ୍ଜାକ୍ଟ ଆନାଲିସିସ ଓ କ୍ୟାମେରା ଟ୍ରାପ ଜରିଆରେ ହେବ ବାଘ ଗଣନା। ବନ ବିଭାଗର ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ଏନେଇ ସୂଚନା ଦେଇଛନ୍ତି। ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ଟ୍ରାଞ୍ଜାକ୍ଟ ଆନାଲିସିସରେ ପାଦ ଚିହ୍ନ, ସ୍କ୍ରାଚ ମାର୍କ ଆଦି ଆଧାରରେ ବାଘ ଗଣନା କରାଯିବ। ସିସିଟିଭି କ୍ୟାମେରା ଟ୍ରାପ୍ ଜରିଆରେ ବାଘର ଚଳପ୍ରଚଳକୁ କଏଦ କରାଯିବ। ପ୍ରାୟ ଦେଢ଼ ମାସ ଧରି ଚାଲିବ ବାଘ ଗଣନା। ସେହିପରି ୨୦୨୪ ମେ’ରୁ ହାତୀ ଗଣନା ହେବ ବୋଲି ବନ ବିଭାଗର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ବାଘଙ୍କ ଲାଗି ସୁରକ୍ଷିତ ନୁହେଁ କି ଓଡ଼ିଶା? ଏଭଳି ପ୍ରଶ୍ନ ଏବେ ଉଙ୍କି ମାରିଛି । ଆଜି ବିଶ୍ୱ ବ୍ୟାଘ୍ର ଦିବସରେ ପରିବେଶବିତ ଏନେଇ ଉଦବେଗ ପ୍ରକାଶ କରିଛନ୍ତି।

ରିପୋର୍ଟ ଅନୁସାରେ, ୨୦୦୬ରେ ରାଜ୍ୟରେ ୪୫ଟି ବାଘ ଥିଲା ବେଳେ ୨୦୧୦ରେ ସଂଖ୍ୟା ୩୨ରେ ପହଞ୍ଚିଥିଲା । ୨୦୧୪ ଓ ୨୦୧୮ରେ ୨୮କୁ ହ୍ରାସ ପାଇଛି ବାଘ ସଂଖ୍ୟା। ସେହିପରି ରାଜ୍ୟ ସରକାରଙ୍କ ନିଜସ୍ୱ ବାଘ ଗଣନା ଅନୁଯାୟୀ, ୨୦୦୪ରେ ରାଜ୍ୟରେ ୧୯୨ଟି ବାଘ ଥିଲା ବେଳେ ୨୦୧୬ରେ ଏହି ସଂଖ୍ୟା ୪୦କୁ କମିଥିବା ଦର୍ଶାଯାଇଛି।

Leave A Reply

Your email address will not be published.