ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ। ଖୁବ ଆନନ୍ଦ ଉଲ୍ଲାସରେ ନୂଆଁଖାଇକୁ ପାଳନ କରୁଛନ୍ତି ପଶ୍ଚିମ ଓଡିଶାର ଲୋକେ। ଯିଏ ଯେଉଁଠି ଥାଉ ନା କାହିଁକି ନୂଆଁଖାଇ ପର୍ବ ପାଇଁ ଗାଁକୁ ଫେରେ, ଆଉ ମା ମାଣିକେଶ୍ୱରୀ ଆଉ ସମଲେଶ୍ୱରୀଙ୍କ ନିକଟରେ ଭୋଗ ହୋଇଥିବ ନବାହ୍ନକୁ ଖାଇ ବଡ଼ ମାନଙ୍କୁ ଜୁହାର ହୋଇଥାନ୍ତି। ପରମ୍ପରା ଅନୁଯାୟୀ ନାଚଗୀତର ଆସର ବି ଜମେ।
ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷରେ ପାଳନ କରାଯାଇଥାଏ ନୂଆଖାଇ ପର୍ବ । ଓଡିଶାର ବିଶେଷ କରି ପଶ୍ଚିମ ଓଡିଶାର ଏହାଏକ ଗଣପର୍ବ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ନୂଆଖାଇ ପର୍ବ ଆନନ୍ଦ ଉଲ୍ଲାସରେ ପାଳନ କରିଥାନ୍ତି। ବିଶେଷ କରି ଏହା ଏକ କୃଷି ଭିର୍ତ୍ତିକ ପର୍ବ। ପଶ୍ଚିମ ଓଡିଶା ବାସୀଙ୍କର ମୁଖ୍ୟଜୀବିକା ହେଉଛି କୃଷି। କୃଷିଜାତ ଅନ୍ନର ମହତ୍ୱକୁ ନେଇ କେଉଁ ଆବହମାନ କାଳରୁ ଏହି ନୂଆଖାଇ ପର୍ବ ପାଳିତ ହୋଇଆସୁଛି। ଓଡିଶାର ଅବିଭକ୍ତ କଳାହାଣ୍ଡି, ବଳାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ ଓ ବଉଦ ଜିଲ୍ଲା ସମେତ କୋରାପୁଟର କେତେକ ଅଂଚଳ ଏବଂ ଛତିଶଗଡ ରାଜ୍ୟର ଦେଓଭୋଗ ସମେତ କେତେକ ଅଂଚଳରେ ଏହି ନୂଆଖାଇ ପର୍ବ ଖୁବ ଧୂମଧାମରେ ପାଳିତ ହୋଇଥାଏ।
ବର୍ଷ ପ୍ରାରମ୍ଭରେ ଉତ୍ପାଦିତ ଶସ୍ୟର ଅନ୍ନ କୁ ବିଶେଷ କରି ବର୍ଷର ଅମଳ ପ୍ରାରମ୍ଭରୁ ଉତ୍ପାଦିତ ହେଉଥିବା ଧାନରୁ ଯେଉଁ ଅନ୍ନ ବାହାରେ ସେହି ଅନ୍ନକୁ ନିଜଇଷ୍ଟ ଦେବାଦେବୀଙ୍କ ଅର୍ପଣକରି ସେହି ପ୍ରସାଦ ନିଜେ ଗ୍ରହଣ କରିବା ସଙ୍ଗେସଙ୍ଗେ ଅନ୍ୟ ମାନଙ୍କୁ ପଂକ୍ତି ଭୋଜନରେ ଆପ୍ୟାୟିତ କରିବାର ଧାରା ନୂଆଖାଇ ପର୍ବ।
ପଶ୍ଚିମ ଓଡିଶା କଳିଙ୍ଗ-କୋଶଳ ଭାବେ ପରିଚିତ ଏବଂ ଆଦିବାସୀ ଅଧ୍ୟୁଷିତ ଅଂଚଳ ଭାବେ ପ୍ରସିଦ୍ଧ। ଏହି ଅଂଚଳ ବାସୀ ମୁଖ୍ୟତଃ କୃଷିଜୀବି। ଏମାନେ ପ୍ରକୃତି ସହିତ ଏକ ନିବିଡ ଅନ୍ତରଙ୍ଗ ସମ୍ପର୍କ ସ୍ଥାପନ କରି ବଂଚି ଆସୁଥିବାରୁ କେବଳ ଧାନ ହିଁ ନୂଆ ବା ନବାନ୍ନ ମଧ୍ୟରେ ସିମିତ ନ ରହି ପ୍ରତିଟି ଶସ୍ୟର ନୂଆ ଫସଲକୁ ନିଜ ଇଷ୍ଟ ଦେବାଦେବୀଙ୍କୁ ସମର୍ପଣ କରିବା ପରେ ହିଁ ନିଜେ ବ୍ୟବହାର କରିଥାନ୍ତି। ଠିକ ସେହିପରି ଶ୍ରାବଣ ମାସରେ ମାଣ୍ଡିଆ ନୂଆଖିଆ ଓ ଗୁର୍ଜୀ ନୂଆଖିଆ, ଦଶହରା ଶୁକ୍ଳ ଦଶମୀ ଦିନ ବାଲିଗଜା ସମୟରେ ମକା ମଞ୍ଜିର ଗଜାକରି ପୂଜା କରିବା ପରେ ମକା ଖାଇବା ପରମ୍ପରା ଥିଲା। ଦଶହରା ଅଷ୍ଟମୀ ଦିନ ପୁଅ ଜିଉନ୍ତିଆ ଓଷା କରିସାରିବା ପରେ କମଳା ଜାତୀୟ ଫଳ ପୂଜା କରିସାରିବା ପରେ ସେହି ଫଳସବୁ ଖାଇବା ପଶ୍ଚିମ ଓଡିଶାର ଏକ ମୁଖ୍ୟ ପ୍ରଥା ଅଟେ । ମାର୍ଗଶୀର ମାସର କୃଷ୍ଣପକ୍ଷ ଅଷ୍ଟମୀ ଦିନ ଶିମ୍ବ, କଖାରୁ, ବିରି, ଝୁଡଙ୍ଗ, ମୂଳା ଇତ୍ୟାଦିକୁ ଦେବାତାଙ୍କୁ ଅର୍ପଣ କରିସାରିବା ପରେ ଖିଆଯାଇଥାଏ। ଫାଲଗୁନ ପୂର୍ଣ୍ଣିମା ଦିନ ଆମ୍ବକୁ ଦେବତାଙ୍କ ପାଖରେ ପୂଜା କରି ସେହିଦିନ ଠାରୁ ଖିଆଯାଏ। ଏତେସବୁ ଘଟଣା ପରେ ମଧ୍ୟ ମୁଖ୍ୟତଃ ଧାନଚାଷ କୁ ପ୍ରାଧାନ୍ୟ ଦିଆଯାଇଛି। ପରମ୍ପରା ଅନୁଯାୟୀ ଏହି ଅଂଚଳବାସୀ ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ନୂଆଖାଇ ପର୍ବ ମହା ଧୂମଧାମରେ ପାଳନକରି ଆସୁଛନ୍ତି। ତେଣୁ ଏହା ହିଁ ପଶ୍ଚିମ ଓଡିଶାର ମୁଖ୍ୟପର୍ବ ବା ଗଣପର୍ବ ନୂଆଖାଇ।
ନୂଆଖାଇ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟାନ ନେତା ମନ୍ତ୍ରୀ ଶୁଭେଛା ଜଣାଇଛନ୍ତି।