ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ସରିଛି କାର୍ତ୍ତିକ ମାସ । କାଲି ଥିଲା ଛାଡ଼ଖାଇ । ତେବେ କାଲି ମଙ୍ଗଳବାର ପଡୁଥିବାରୁ ଛାଡ଼ଖାଇ ବଜାର ମାନ୍ଦା ପଡିଥିଲା । କାଁ ଭାଁ ଲୋକେ ଆସି ମାଛ ମାଂସ କିଣିଥିଲେ । ସକାଳୁ ସକାଳୁ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ଆମିଷ ବଜାରରେ ଗହଳି ଲାଗୁଥିବା ଦେଖିବାକୁ ମିଳିଛି । ଏହାପୂର୍ବରୁ ବଜାରରେ ଆମିଷ ଦର ଉଚ୍ଚା ରହିଛି ।
ଦୋକାନୀ ଦର ତାଲିକା ମାରିବା ବାଧ୍ୟତାମୂଳକ ହୋଇଛି । ସେହିପରି ସତର୍କ ରହିଛି ଖାଦ୍ୟ ସୁରକ୍ଷା ବିଭାଗ । ମାସେ ହେଲା ଆମିଷ ଖାଇନଥିବା ଲୋକେ ସକାଳୁ ବଜାରରେ ଭିଡ ଜମାଇ ମଟନ, ଚିକେନ, ମାଛ ବୋହି ନେଉଛନ୍ତି । କଟକରେ ବିଭିନ୍ନ ଆମିଷ ବଜାରରେ ମଧ୍ୟ ଆଜି ଖଚାଖଚ ଭିଡ ଦେଖିବାକୁ ମିଳିଛି । ନିଜ ପସନ୍ଦର ଅମିଷ କିଣିବାରେ ବ୍ୟସ୍ତ ଅଛନ୍ତି କଟକିଆ । ଦରକୁ ଖାତିର ନକରି ନିଜ ପସନ୍ଦର ମାଛ ମାଂସ କିଣିବାରେ ଲାଗି ପଡିଛନ୍ତି । ବଜାରରେ ବିଭିନ୍ନ ପ୍ରକାର ମାଛ ସହ ବାଗଦା, ଟାଇଗର ଭଳି ଭେରାଇଟ ଚିଙ୍ଗୁଡି ଉପଲବ୍ଧ ହେଉଛି । ହେଲେ ଲୋକେ ବେଶୀ ମାଛ ମାଂସ କିଣୁଥିବା ବ୍ୟବସାୟୀ କହିଛନ୍ତି ।
ତେବେ ଗତକାଲି ବ୍ୟବସାୟ ଡାଉନ ଥିବାରୁ ଆଜି ଭଲ ବେପାର ଜମିବ ବୋଲି ଆଶା ବାନ୍ଧିଛନ୍ତି ବ୍ୟବସାୟୀ । ଆଉ ଆଜି ସକାଳୁ ମାର୍କେଟ ଭିଡ଼ ରହିଛି । ଏହା ଅପରାହ୍ନ ପର୍ଯ୍ୟନ୍ତ ଲାଗି ରହିବ । ମୋଟ ୧.୫ କୋଟି ଟଙ୍କାର ଚିକେନ୍ ବିକ୍ରି ଆଶା ରଖିଛନ୍ତି ବ୍ୟବସାୟୀ । ସେପଟେ ଉଚ୍ଚ ଦରରେ ବିକ୍ରି ଉପରେ ନଜର ରଖିବ ବିଏମ୍ସି । ମାଂସ ଓ ମାଛ ଦୋକାନରେ ଦର ତାଲିକା ମାରିବାକୁ ବିଏମ୍ସି ପକ୍ଷରୁ କୁହାଯାଇଛି । ଏହାସହ ପରିମଳକୁ ମଧ୍ୟ ଗୁରୁତ୍ୱ ଦିଆଯିବ । ସାଇନ୍ ଟିମ୍ ଓ ଏସ୍ଆଇମାନେ ବୁଲି ନଜର ରଖିବେ । ସେହିପରି ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ମଧ୍ୟ ଚଢ଼ଉ କରିବାକୁ ଯୋଜନା କରାଯାଇଛି ।