ମହଣ ମହଣ ସୁନାରେ ସଜେଇ ହେବେ ଚତୁର୍ଦ୍ଧାମୂର୍ତ୍ତି, ଭକ୍ତ ଦେଖିବେ ଦୁର୍ଲଭ ବେଶ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ । ମହଣ ମହଣ ସୁନା ଅଳଙ୍କାରରେ ଝଟକିବେ ମହାବାହୁ । ହରିଶୟନ ଏକାଦଶୀରେ ମହାପ୍ରଭୁ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଦୁଇବର୍ଷ ପରେ ରଥ ଉପରେ ବିଶ୍ୱନିୟନ୍ତାଙ୍କୁ ସୁନାବେଶରେ ଦେଖିବେ ଶ୍ରଦ୍ଧାଳୁ। ଅନ୍ୟପକ୍ଷରେ ସୁନାବେଶ ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି। ତେବେ ରଥ ଉପରେ ହେଉଥିବା ଏହି ବେଶକୁ ବଡ଼ତଢାଉ ବେଶ ମଧ୍ୟ କୁହାଯାଏ। ଗଜପତି ମହାରାଜା କପିଳେନ୍ଦ୍ର ଦେବଙ୍କ ସମୟରୁ ଏହି ବେଶ ହୋଇଆସୁଥିବା ଶୁଣିବାକୁ ମିଳେ। ତେବେ ଏହି ଅପୂର୍ବ ବେଶ ଲାଗି ଶ୍ରୀମନ୍ଦିର ଭଣ୍ଡାରଘରୁ ବାହାରିବ ମହଣ ମହଣ ସୁନା ଓ ରୁପା ଅଳଙ୍କାର। ବହୁବିଧ ରତ୍ନଅଳଙ୍କାର ଲାଗି ହୋଇ ରଥ ଉପରେ ଝଲସିବେ ଦାରୁଦିଅଁ।

ଅପରାହ୍ନ ୫ଟାରୁ ସୁନାବେଶ ଆରମ୍ଭ ହେବ । ଏହାର ଯଥେଷ୍ଟ ପୂର୍ବରୁ ସୁନାବେଶ ଲାଗି ହୋଇପାରେ ସୂଚନା ମିଳିଛି । ସଂନ୍ଧ୍ୟାଧୂପ ସରିବା ପରେ ସୁନାବେଶ ଓଲାଗି ହେବ । ପରେ ବଡସିଂହାର ବେଶ ପରେ ରାତ୍ର ପହୁଡ ହେବ । ଶ୍ରୀଜିଉଙ୍କର ସମସ୍ତ ଚିତ୍ତାକର୍ଷକ ବେଶ ମଧ୍ୟରେ ସୁନାବେଶ ଅନ୍ୟତମ । ମହଣମହଣ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୁଷିତ ହୋଇଥାନ୍ତି ମହାପ୍ରଭୁ । ଶ୍ରୀବଳଭଦ୍ର ଶ୍ରୀପୟର, ଶ୍ରୀଭୁଜ, କିରିଟି, ଘାଗଡାମାଳି, କଦମ୍ବମାଳି, କୁଣ୍ଡଳ, ଆଡକାନି, ଚନ୍ଦ୍ରିକା ଆଦି ପରିଧାନ କରିଥାନ୍ତି । ଦେବୀ ସୁଭଦ୍ରାଙ୍କୁ କିରିଟି, ଓଡିଆଣି, କାନ, ତଗଡି,ସେବତୀ ମାଳି, ଘାଗଡାମାଳି, କଦମ୍ବମାଳି ଆଦି ପରିଧାନ କରିଥାନ୍ତି । ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସ୍ୱତନ୍ତ୍ର ଟ୍ରାଫିକ ପରିଚାଳନା ବ୍ୟବସ୍ଥା ମଧ୍ୟ କରାଯାଇଛି। ମଧ୍ୟରାତ୍ର ପର୍ଯ୍ୟନ୍ତ ସୁନାବେଶ ଦର୍ଶନ ଜାରି ରହିବ।

Leave A Reply

Your email address will not be published.