ଆଜି ହେବ ବର୍ଷର ସବୁଠୁ ଛୋଟ ଦିନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ହେବ ବର୍ଷର ସବୁଠୁ ଛୋଟ ଦିନ। ପ୍ରତିବର୍ଷ ଡିସେମ୍ବର ୨୧ କିମ୍ବା ୨୨ ତାରିଖରେ ଉତ୍ତର ଗୋଲାର୍ଦ୍ଧରେ ଶୀତ ଋତୁର ପ୍ରଥମ ଦିନ ଆରମ୍ଭ ହୋଇଥାଏ। ଏହି ଦିନ ବର୍ଷର ସବୁଠାରୁ ଛୋଟ ଦିନ ବୋଲି ବିବେଚନା କରାଯାଏ। ଏବର୍ଷ ଡିସେମ୍ବର ୨୨ ତାରିଖରେ ଦିନ ସବୁଠାରୁ ଛୋଟ ହେବ। ଦିନ ପ୍ରାୟ ୧୦ ଘଣ୍ଟା ୫୪ ମିନିଟ୍‌ ୨୪ ସେକେଣ୍ଡ ଏବଂ ରାତି ୧୩ ଘଣ୍ଟା ୫ ମିନିଟ୍‌ ୩୬ ସେକେଣ୍ଡ ହେବ।

ଜ୍ୟୋତିର୍ବିଜ୍ଞାନୀଙ୍କ ମତରେ ବର୍ଷର ଏହି ସବୁଠାରୁ ଛୋଟ ଦିନରୁ ଉତ୍ତର ମେରୁରେ ଶୀତଦିନ ଆରମ୍ଭ ହୁଏ । ଫଳରେ ଦକ୍ଷିଣ ମେରୁରେ ଧୀରେ ଧୀରେ ଦିନଗୁଡ଼ିକ ଅଧିକରୁ ଅଧିକ ଲମ୍ବା ହୁଏ । ମାର୍ଚ୍ଚ ମାସ ବେଳକୁ ଦିନ ଓ ରାତିର ଅବଧି ପାଖାପାଖି ସମାନ ରହେ । ସୂର୍ଯ୍ୟ ଚାରିପଟେ ପୃଥିବୀ ନିଜ କକ୍ଷ ପଥରେ ୨୩.୫ ଡିଗ୍ରୀ ଢଳି ରହି ବୁଲିବା ସହ ନିଜ ଅକ୍ଷ ଚାରିପଟେ ମଧ୍ୟ ଘୂରୁଛି। ପ୍ରତ୍ୟେକ ବର୍ଷ ଜୁନମାସ ୨୧ତାରିଖରେ ସୂର୍ଯ୍ୟ ଉତ୍ତର ଗୋଲାର୍ଦ୍ଧର ୨୩.୫ ଡିଗ୍ରୀରେ ଥିବା କର୍କଟ କ୍ରାନ୍ତି ଉପରେ ରହିଥାଏ। ସେହିଠାରୁ ଧୀରେ ଧୀରେ ଦକ୍ଷିଣ ଦିଗକୁ ଗତି କରି ଥାଏ ଯାହାକୁ ଆମେ ସୂର୍ଯ୍ୟର ଦକ୍ଷିଣାୟନ ଗତି କହିଥାଉ।

ଏହିପରି ଦକ୍ଷିଣ ଦିଗକୁ ଢଳି ଢଳି ୨୨ ଡିସେମ୍ବର ବେଳକୁ ସୂର୍ଯ୍ୟ ବିଷୁବ ରେଖା ଠାରୁ ୨୩.୫ ଡିଗ୍ରୀ ଦକ୍ଷିଣରେ ଥିବା ମକର କ୍ରାନ୍ତିରେ ପହଞ୍ଚିଥାଏ। ସୂର୍ଯ୍ୟ ମକର କ୍ରାନ୍ତି ଉପରେ ଗତି କରି ଥାଏ। ଫଳରେ ବର୍ଷର ବିଭିନ୍ନ ସମୟରେ ଦିନ ଓ ରାତିର ଅବଧିରେ ତାରତମ୍ୟ ହୋଇଥାଏ। ଡିସେମ୍ବର ୨୨ ତାରିଖରେ ସବୁଠାରୁ ଛୋଟ ଦିନ ପ୍ରାୟ ୧୦ ଘଣ୍ଟା ୫୪ ମିନିଟ୍ ୨୪ ସେକେଣ୍ଡ ହେବ। ସେହିଭଳି ଦୀର୍ଘତମ ରାତି ପ୍ରାୟ ୧୩ ଘଣ୍ଟା ୫ ମିନିଟ୍ ୩୬ ସେକେଣ୍ଡ ହେବ । ଭୁବନେଶ୍ୱରରେ ଡିସେମ୍ବର ୧୬ ରୁ ଡିସେମ୍ବର୨୮ ପ୍ରାୟ ୧୨ ଦିନ ଧରି ଦିନ ୧୦ ଘଣ୍ଟା ୫୪ ମିନିଟ୍ ଏବଂ ରାତି ପ୍ରାୟ ୧୩ ଘଣ୍ଟା୫ ମିନିଟ୍ ହୁଏ ।

Leave A Reply

Your email address will not be published.