ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ମୋ ବସରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ ଖବର ସାମ୍ନାକୁ ଆସିଛି। ଏବେଠାରୁ ମୋ ବସ୍ରେ ଚଢିବା ପୂର୍ବରୁ ଟିକେଟ କରିବାକୁ ପଡିବ। ମୋ ବସ୍ର ଗାଇଡ୍ମାନଙ୍କ ଠାରୁ ଟିକେଟ୍ ଧରିବା ପରେ ଯାତ୍ରୀମାନେ ବସ୍କୁ ଯିବେ। ଏଭଳି ନୂତନ ନିୟମ ଆଣିଛି କ୍ୟାପିଟାଲ ରିଜନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍)।
ଏନେଇ ଶୁକ୍ରବାର ଟୁଇଟ୍ କରି ଅବଗତ କରାଇବା ସହ ଟିକେଟ୍ ବ୍ୟବସ୍ଥାରେ ଉପଯୁକ୍ତ ଶୃଙ୍ଖଳା ସୁନିଶ୍ଚିତ କରିବା ପାଇଁ ଏଭଳି କରାଯାଇଥିବା କୁହାଯାଇଛି। ଯାତ୍ରୀମାନେ ନିର୍ଦ୍ଦିଷ୍ଟ ଖୁଚୁରା ଦେଇ କର୍ମଚାରୀଙ୍କୁ ଶତପ୍ରତିଶତ ଟିକେଟ ସୁନିଶ୍ଚିତ କରିବାରେ ସହଯୋଗ କରିବା ପାଇଁ ଅପିଲ୍ କରାଯାଇଛି। ସେହିପରି ବିନା ଟିକେଟରେ ଯାତ୍ରା ନ କରିବା ପାଇଁ କୁହାଯାଇଛି। ତେବେ କ୍ରୁଟ୍ର ଏଭଳି ନିୟମକୁ ନେଇ ଜନସାଧାରଣଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି।
ଅଧିକାଂଶ ବ୍ୟକ୍ତି ଟୁଇଟ୍ କରି କ୍ରୁଟ୍କୁ ସମାଲୋଚନା କରିଛନ୍ତି। ବର୍ଷା ହେଲେ ଯାତ୍ରୀମାନେ କିପରି ବାହାରେ ଭିଜି ଟିକେଟ୍ କରିବେ ବୋଲି ପ୍ରଶ୍ନ କରିଛନ୍ତି। ଏବେ ପ୍ରବଳ ଖରା ହେଉଥିବାରୁ ଟିକେଟ ପାଇଁ ଅପେକ୍ଷା କରିବା ଆହୁରି କଷ୍ଟକର ହୋଇପଡିବ। ଟିକେଟ କାଟିବା ଦ୍ୱାରା ବହୁତ ସମୟ ଲାଗିବ। ଏବଂ ଗନ୍ତବ୍ୟ ସ୍ଥଳରେ ଠିକ୍ ସମୟରେ ପହଞ୍ଚତ୍ ହେବନାହିଁ। ତେଣୁ ଏଭଳି ନିୟମକୁ କାର୍ଯ୍ୟକାରୀ ନ କରି ବିକଳ୍ପ ରାସ୍ତା ବାହାର କରିବାକୁ ଦାବି କରାଯାଇଛି।
ସେହିପରି ଶତପ୍ରତିଶତ ଟିକେଟ ପାଇବା ପାଇଁ ସମସ୍ତ ବସ୍ଷ୍ଟପ୍ରେ ଗାଇଡ୍ ନିଯୁକ୍ତି କରାଯିବା ଦରକାର। ଯାହାଦ୍ୱାରା ବସ୍ ଆସିବା ପୂର୍ବରୁ ଯାତ୍ରୀମାନେ ଗନ୍ତବ୍ୟସ୍ଥଳ ପାଇଁ ଟିକେଟ୍ କରି ପାରିବେ ବୋଲି କେତେଜଣ ବ୍ୟକ୍ତି ଦାବି କରିଛନ୍ତି। ତେବେ ଏହାରି ଭିତରେ ଅନେକଙ୍କ ମତରେ ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ମଧ୍ୟ କୁହାଯାଇଛି।