ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଶୁକ୍ରବାର ଉତ୍ତର ପ୍ରଦେଶର କୌଶମ୍ବିରେ କୌଶମ୍ବି ମହୋତ୍ସବକୁ ଉଦଘାଟନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହି ଅବସରରେ ଶାହ ବିରୋଧୀ ଦଳଗୁଡ଼ିକୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ‘ଦେଶର ଗଣତନ୍ତ୍ର ବିପଦରେ ନାହିଁ। ବିପଦରେ ଅଛି ବଂଶବାଦ ଓ ଜାତିବାଦ ରାଜନୀତି’। ସେ ଆହୁରି କହିଛନ୍ତି, ରାହୁଲ ଗାନ୍ଧିଙ୍କ ସାଂସଦ ପଦ ରଦ୍ଦ ହେବା ପରେ ବିରୋଧୀମାନେ ସଂସଦକୁ ଚାଲିବାକୁ ଦେଲେ ନାହିଁ। ଏଥିପାଇଁ ଏ ଦେଶ ବିରୋଧୀମାନଙ୍କୁ କେବେ ବି କ୍ଷମା କରିବ ନାହିଁ। ଏହା ସହିତ ୨୦୨୪ରେ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଗଠନ କରିବା ପାଇଁ ବିଜେପିକୁ ଭୋଟ୍ ଦେବାକୁ ସେ ଉପସ୍ଥିତ ଲୋକଙ୍କୁ ଅନୁରୋଧ କରିଥିଲେ। ସେ କହିଥିଲେ ସମାଜର ସମସ୍ତ ବର୍ଗର ସାମଗ୍ରିକ ଉନ୍ନତି ପାଇଁ ପୁଣି ଥରେ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ କରିବାକୁ ପଡ଼ିବ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଓ ବ୍ରଜେଶ ପାଠକ ଉପସ୍ଥିତ ରହିଥିଲେ।
ଉତ୍ତର ପ୍ରଦେଶ ବିଜେପି ସଭାପତି ଭୂପେନ୍ଦ୍ର ଚୌଧୁରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଗତ ମାର୍ଚ୍ଚ ୨୪ ତାରିଖରେ ରାହୁଲ ଗାନ୍ଧିଙ୍କ ଲୋକସଭା ପଦ ରଦ୍ଦ ହୋଇଥିଲା। ଏକ ମାନହାନୀ ମାମଲାରେ ସୁରଟର ଏକ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବାର ୨୪ ଘଣ୍ଟା ମଧ୍ୟରେ ତାଙ୍କ ସାଂସଦ ପଦକୁ ରଦ୍ଦ କରାଯାଇଥିଲା। ଜନପ୍ରତିନିଧି ଆଇନର ଧାରା ୧୦୨ (୧) (ଉ)ରେ ଥିବା ବ୍ୟବସ୍ଥା ଅନୁଯାୟୀ ରାହୁଲ ଗାନ୍ଧୀ ୨୩ ମାର୍ଚ୍ଚ ଠାରୁ ଆଉ ଲୋକସଭା ସଦସ୍ୟ ରହିପାରିବେ ନାହିଁ। କାଲି ରାହୁଲଙ୍କୁ ‘ମୋଦି ସରନେମ୍’ ମାମଲାରେ ୨ ବର୍ଷ ଜେଲ ଦଣ୍ଡାଦେଶ କରିଥିଲେ ସୁରତ କୋର୍ଟ। ପରେ ତାଙ୍କୁ ଜାମିନ ମଧ୍ୟ ମିଳିଯାଇଥିଲା। ଏହା କଂଗ୍ରେସ ପାଇଁ ଏକ ବଡ଼ ଝଟକା ଥିଲା। ବିଜେପି ପ୍ରତିହିଂସା ପରାୟଣ ହୋଇ ରାହୁଲଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ଦଳ ଏହା ବିପକ୍ଷରେ ଉଭୟ ଆଇନଗତ ଓ ରାଜନୀତିକ ଲଢ଼େଇ ଲଢ଼ିବ ବୋଲି କହିଛି।
ଉଲ୍ଲେଖଯୋଗ୍ୟ ଯେ, ୨୦୧୩ରେ ସୁପ୍ରିମକୋର୍ଟ ଜନପ୍ରତିନିଧି ଆଇନକୁ ନେଇ ଏକ ଐତିହାସିକ ନିଷ୍ପତ୍ତି ନେଇଥିଲେ। ଲୋକ ପ୍ରତିନିଧି ଆଇନ ୧୯୫୧ର ଧାରା ୮(୪)ରେ ପରିବର୍ତ୍ତନ ଆଣିବା ସହିତ ଧାରା ୮(୩) ପ୍ରଣୟନ କରିଥିଲେ। ଏହି ବ୍ୟବସ୍ଥା ଅନୁଯାୟୀ, ଯଦି କୌଣସି ସାଂସଦ , ବିଧାୟକ କିମ୍ବା ବିଧାନସଭା ପରିଷଦ ସଭ୍ୟ କୌଣସି ଅଦାଲତ ଦ୍ବାରା ଦୋଷୀ ସାବ୍ୟସ୍ତ ହୁଅନ୍ତି ଏବଂ ତାଙ୍କୁ ଅତି କମରେ ୨ ବର୍ଷ ଜେଲ ଦଣ୍ଡିତ କରାଯାଏ, ତା’ହେଲେ ତାଙ୍କର ସାମ୍ବିଧାନିକ ପଦ ରଦ୍ଦ କରାଯାଇପାରିବ। ତେବେ ଏହା ବିରୋଧରେ ତତ୍କାଳୀନ ମନମୋହନ ସିଂହ ସରକାର ଏକ ଅଧ୍ୟାଦେଶ ଆଣିଥିଲେ ମଧ୍ୟ ସାଂସଦ ରାହୁଲ ଏହାକୁ ଚିରି ଫୋପାଡି ଦେଇଥିଲେ। ଅର୍ଥାତ୍ ସୁପ୍ରିମକୋର୍ଟ ନେଇଥିବା ନିଷ୍ପତ୍ତିକୁ ରାହୁଲ ସେତେବେଳେ ସମର୍ଥନ କରିଥିଲେ। କିନ୍ତୁ ଆଜି ସେ ଏହି ଆଇନ ବଳୟରେ ପଡ଼ିଯାଇଛନ୍ତି। ସାମ୍ବିଧାନିକ ବିଶେଷଜ୍ଞଙ୍କ ମତରେ ସୁରତ୍ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରି ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିବାରୁ ଲୋକସଭା ସଚିବାଳୟ ମଧ୍ୟ ରାହୁଲଙ୍କ ସଦସ୍ୟତାକୁ ରଦ୍ଦ କରିଛି।