ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଝଟକା। ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢ଼ିପାରିବେନି ଟ୍ରମ୍ପ। କ୍ୟାପିଟଲ୍ ହିଂସା ମାମଲାରେ ତାଙ୍କୁ ରାଷ୍ଟ୍ରପତି ପଦ ପାଇଁ ଅଯୋଗ୍ୟ ଘୋଷଣା କରିଛନ୍ତି କୋଲୋରାଡୋ କୋର୍ଟ। ଆସନ୍ତା ବର୍ଷ ଆମେରିକାରେ ହେବାକୁ ଥିବା ନିର୍ବାଚନରେ ଟ୍ରମ୍ପ ଅଂଶଗ୍ରହଣ କରିପାରିବେ ନାହିଁ ବୋଲି କୋର୍ଟ ତାଙ୍କ ଆଦେଶରେ କହିଛନ୍ତି। ତେବେ ଟ୍ରମ୍ପ ଏହି ନିଷ୍ପତ୍ତି ବିରୋଧରେ ଆମେରିକାର ସୁପ୍ରିମକୋର୍ଟଙ୍କ ନିକଟକୁ ଯିବେ ବୋଲି ସମସ୍ତ ଆଶା ରହିଛି।
କୋଲାରାଡୋ କୋର୍ଟ ଆମେରିକୀୟ ସମ୍ବିଧାନର ଚତୁର୍ଦ୍ଦଶ ସଂଶୋଧନ ଧାରା ୩ରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଅଯୋଗ୍ୟ ଘୋଷିତ କରିଛନ୍ତି । କୋର୍ଟ ୪-୩ ସଂଖ୍ୟାଗରିଷ୍ଠତାରେ ନିଷ୍ପତ୍ତି ଶୁଣାଇ କହିଛନ୍ତି ଯେ, ୧୪ ତମ ସଂଶୋଧନର ‘ବିଦ୍ରୋହ ସମ୍ପର୍କିତ’ ଧାରା ୩ ଅନୁସାରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଗ୍ରହଣ କରିବାକୁ ଟ୍ରମ୍ପ ଅଯୋଗ୍ୟ । ତେଣୁକରି ସେ ଆସନ୍ତା ବର୍ଷ ଆମେରିକାରେ ହେବାକୁ ଥିବା ନିର୍ବାଚନ ଲଢିପାରିବେ ନାହିଁ । ତେବେ ଆମେରିକୀୟ ସମ୍ବିଧାନର ଏହି ଧାରାରେ କୌଣସି ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ନିର୍ବାଚନ ଲଢିବାରୁ ଅଯୋଗ୍ୟ ଘୋଷଣା କରାଯିବାରେ ଆମେରିକା ଇତିହାସରେ ଏହା ପ୍ରଥମ ଘଟଣା ।
ସୂଚନା ଅନୁସାରେ, ୨୦୨୧ ଜାନୁଆରୀ ୬ ତାରିଖରେ ୱାଶିଂଟନ୍ ଡିସିର କ୍ୟାପିଟାଲ ହିଲ୍ ନିକଟରେ ହଜାର ହଜାର ଲୋକେ ଏକାଠି ହୋଇଥିଲେ। ଏହି ଲୋକଙ୍କ ମଧ୍ୟରେ ଅଧିକାଂଶ ଟ୍ରମ୍ପଙ୍କ ସମର୍ଥକ ଥିଲେ। ସମସ୍ତେ ୱାଶିଂଟନ ଡିସିର କ୍ୟାପିଟାଲ ହିଲ୍ ଉପରେ ଆକ୍ରମଣ କରିଥିଲେ। ୨୦୨୦ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଯାଞ୍ଚ ପ୍ରକ୍ରିୟାରେ ଏମାନେ କଂଗ୍ରେସର ମିଳିତ ଅଧିବେଶନକୁ ବାଧା ଦେଇଥିଲେ। ଏହି ଘଟଣାରେ ପୁଲିସ ସମେତ ଅନେକ ଲୋକ ଆହତ ହୋଇଥିଲେ।। ଆମେରିକାର କ୍ୟାପିଟାଲ ବିଲ୍ଡିଂ ପରିସରେ ହୋଇଥିବା ହିଂସା ମାମଲାରେ ଟ୍ରମ୍ପଙ୍କୁ ଦାୟୀ କରିଥିଲା ତଦନ୍ତ କମିଟି।
ଗତ ୨୦୨୦ ମସିହା ନଭେମ୍ବରରେ ହୋଇଥିବା ଯୁକ୍ତରାଷ୍ଟ୍ର ଆମେରିକାର ନିର୍ବାଚନରେ ଟ୍ରମ୍ପ ରାଷ୍ଟ୍ରପତି ପଦ ହରାଇଥିଲେ । । ମାତ୍ର ସେ ନିଜ ହାର୍ ସ୍ୱୀକାର କରିବାକୁ ପ୍ରସ୍ତୁତ ନ ଥିଲେ। ଏପରିକି ସମଗ୍ର ଦେଶରେ ସେ ଜିତିଥିବା ନେଇ ମିଥ୍ୟା ପ୍ରଚାର କରାଇଲେ। ଏହାପରେ ୨୦୨୧ ଜାନୁୟାରୀରେ ଆମେରିକାର ରାଜଧାନୀରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା। ଟ୍ରମ୍ପଙ୍କ ସମର୍ଥକ ହ୍ୱାଇଟ ହାଉସ୍ରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ। ଏପରିକି ନିର୍ବାଚନ ଅଧିକାରୀଙ୍କୁ ବି ଆକ୍ରମଣ କରିବାକୁ ପଛାଇ ନ ଥିଲେ।