ଅଧ ଘଂଟାରେ ଦୁଇ ଥର ଭୂମିକମ୍ପ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଅଧ ଘଂଟାରେ ଦୁଇ ଥର ଭୂମିକମ୍ପ | ଆଜି ୩୦ ମିନିଟ୍‌ରୁ କମ୍‌ ସମୟ ମଧ୍ୟରେ ଆଫଗାନିସ୍ତାନରେ ୨ଟି ଭୂମିକମ୍ପ ସଂଘଠିତ ହୋଇଥିବା କଥା ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍ମୋଲୋଜି’ ସୂଚନା ଦେଇଛି। ରାତି ୧୨.୨୮ରେ ଫୈଜାବାଦ୍‌ର ପୂର୍ବ ପ୍ରାନ୍ତକୁ ୧୦୦ କିଲୋମିଟର୍‌ ଦୂରରେ ପ୍ରଥମ ଭୂମିକମ୍ପ ସଂଘଠିତ ହୋଇଥିଲା ଏବଂ ରିକ୍ଟର୍‌ ସ୍କେଲ୍‌ରେ ଏହାର ତୀବ୍ରତା ଥିଲା ୪.୪। ପୁଣି ରାତି ୧୨.୫୫ରେ ଫୈଜାବାଦର ପୂର୍ବ ଆଡ଼କୁ ୧୨୬ କିଲୋମିଟର୍‌ ଦୂରରେ ଦ୍ବିତୀୟ ଭୂମିକମ୍ପ ସଂଘଠିତ ହୋଇଥିଲା। ରିକ୍ଟର୍‌ ସ୍କେଲ୍‌ରେ ଏହାର ତୀବ୍ରତା ଥିଲା ୪.୮।

ସୂଚନା ଅନୁସାରେ, ୨୦୨୩ ଡିସେମ୍ବର ୧୨ରେ ମଧ୍ୟ ଆଫଗାନିସ୍ଥାନରେ ଭୂମିକମ୍ପ ହୋଇଥିଲା। ରିକ୍ଟର୍‌ ସ୍କେଲ୍‌ରେ ଏହାର ତୀବ୍ରତା ଥିଲା ୫.୨। ଏହା ପୂର୍ବରୁ ଅକ୍ଟୋବର ମାସରେ ଆଫଗାନିସ୍ଥାନରେ ୬.୩ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିଲା ଏବଂ ଏହା ପରେ ହୋଇଥିବା କମ୍ପନ ଯୋଗୁଁ ଆଫଗାନିସ୍ତାନର ପଶ୍ଚିମ ପ୍ରାନ୍ତରେ କିଛି ଲୋକଙ୍କର ମୃତ୍ୟୁ ଘଟିଥିଲା ବୋଲି ଜାତୀୟ ବିପର୍ଯ୍ୟୟ କର୍ତ୍ତୃପକ୍ଷ କହିଥିଲେ।

ଉଲ୍ଲେଖଯୋଗ୍ୟ, ସୋମବାର ଅପରାହ୍ଣରେ ଜାପାନରେ ସଂଘଠିତ ୭.୫ ତୀବ୍ରତାସମ୍ପନ୍ନ ଭୂମିକମ୍ପଜନିତ ମୃତ୍ୟୁସଂଖ୍ୟା ଆଜି ୬୨କୁ ବୃଦ୍ଧି ପାଇଥିବା କଥା ସେଠାକାର ସରକାରୀ ଅଧିକାରୀମାନେ କହିଛନ୍ତି। ଏଥିଯୋଗୁଁ ଭୂସ୍ଖଳନ ଓ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି।

Leave A Reply

Your email address will not be published.