ଓଡ଼ିଆ ନ୍ୟୁଜ୍: ଫିଲିପାଇନ୍ସରେ ତାଣ୍ଡବ ରଚିଲା ଘୂର୍ଣ୍ଣିଝଡ଼ କାଲମେଗୀ। ଏହାର ପ୍ରଭାବରେ ଝଡ଼ ଏବଂ ବର୍ଷା ହେବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ କରିଛି କାଲମେଗୀ। ଭୂକମ୍ପ ଅନେକଙ୍କ ଘର ଭାଙ୍ଗିଥିବା ବେଳେ ଘୂର୍ଣ୍ଣିଝଡ଼ କାଲମେଗୀ ଅନେକଙ୍କ ଘର ଉଡ଼ାଇ ନେଇଛି। ଘଣ୍ଟା ପ୍ରତି ୧୩୦ କିଲୋମିଟର ବେଗରେ ପବନ କହିବାରୁ ଏକାଧିକ ଘର ଭାଙ୍ଗି ଯାଇଛି। ଏପର୍ଯ୍ୟନ୍ତ ଏହାର ପ୍ରଭାବରେ ୨୪୧ ଜଣଙ୍କ ଜୀବନ ଯାଇସାରିଥିବା ସାମ୍ନାକୁ ଆସିଛି।
ଗୁରୁବାର ଦିନ ପାଣିପାଗ ବିଭାଗ କହିଛି ଯେ, କେନ୍ଦ୍ରୀୟ ଭାଗରେ ସବୁ ଛାରଖାର କରିବା ପରେ ଏହି ଘୂର୍ଣ୍ଣିଝଡ଼ ଭିଏତନାମ ଆଡ଼କୁ ଯାଇ ପୁଣି ଶକ୍ତି ହାସଲ କରିଛି। ଭିଏତନାମର ଜିଆ ଲାଇ ପ୍ରଦେଶରେ ଏବେ ପ୍ରବଳ ବର୍ଷା ଏବଂ ପବନର ବେଗ ବଢ଼ିବା ନେଇ ସତର୍କ କରାଯାଇଛି। ପ୍ରବଳ ବର୍ଷା ହେବା ଦ୍ବାରା ତଳିଆ ଅଞ୍ଚଳରେ ବନ୍ୟା ସୃଷ୍ଟି ହୋଇପାରେ ଏବଂ ଚାଷ କାମ ବାଧା ପାଇପାରେ। ପବନର ବେଗ ଅଧିକ ରହିବାର ଆଶଙ୍କା ଥିବାରୁ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି।