ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳୀ। କିନ୍ତୁ ଦୁନିଆରେ ଏମିତି ଅନେକ ଅଛନ୍ତି ଯେଉଁମାନେ ଆଲୋକକୁ ଦେଖି ପାରନ୍ତି ନାହିଁ। ସେହି ମାନଙ୍କ ମୁହଁରେ ଟିକିଏ ହସ ଫୁଟାଇବା ପାଇଁ ଉଡ୍ର ଚାରିଟେବଲ ଟ୍ରଷ୍ଟ ଏକ ନିଆରା ପ୍ରୟାସ। ସ୍ୱେଚ୍ଛାସେବୀ ସଙ୍ଗଠନ ଉଡ୍ର ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଡି.ଏନ୍. ରିଗାଲିଆ ମଲ୍ ସ୍ଥିତ ବାର୍ବେକ୍ୟୁ ନେସନ୍ ରେଷ୍ଟୁରାଣ୍ଟ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୭୦ ଜଣ ଦୃଷ୍ଟି ବାଧିତ ପିଲାମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ସମରେଶ ରାଉତରାୟ, ଦେବାଶିଷ ପାତ୍ର, ପୁନମ ମିଶ୍ର, ସାଗରିକା ମିଶ୍ର, ବିଷ୍ଣୁମୋହନ କବି ଏବଂ ଡଃ. ସତ୍ୟଜିତ୍ ଦାସ ପ୍ରମୁଖ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ବାର୍ବେକ୍ୟୁ ନେସନ୍ ଏବଂ ଉଡ୍ର ଚାରିଟେବଲ ଟ୍ରଷ୍ଟର ସମସ୍ତ ସଦସ୍ଯମାନଙ୍କ ପ୍ରତି ଆନ୍ତରିକ ଧନ୍ଯବାଦ ଜଣାଯାଇଥିଲା।
ଏହି ଅବସରରେ ଅଭିନେତା ଆକାଶ ଦାସ ନାୟକ କହିଛନ୍ତି ଆସନ୍ତୁ ଚେଷ୍ଟା କରିବା ଅନ୍ୟ କାହା ମୁହଁରେ ହସ ଟିକିଏ ଦେବା ପାଇଁ। ଆମ ସମସ୍ତଙ୍କର ଟିକିଏ ଟିକିଏ ଚେଷ୍ଟା ନିଶ୍ଚିତ ଭାବରେ ଏ ଦୁନିଆକୁ ଏକ ସୁନ୍ଦର ଦୁନିଆ ଭାବରେ ପରିଣତ କରି ପାରିବ।