ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ତେବେ ୬ ଘଣ୍ଟା ଭିତରେ ସେ ୩ଟି ଜିଲ୍ଲାରେ ହେବାକୁ ଥିବା ବଡ଼ ସଭାରେ ଯୋଗ ଦେବେ ବୋଲି ବିଜେପି ସୂତ୍ରରୁ ସୂଚନା ମିଳିଛି । ରାଜନାଥଙ୍କର ନବରଙ୍ଗପୁର, ବ୍ରହ୍ମପୁର ଓ ବାରିପଦାରେ କାର୍ଯ୍ୟକ୍ରମ ରହିଛି । ଦିନ ୧୧ଟାରେ ନବରଙ୍ଗପୁରରେ କୋର୍ କମିଟି ବୈଠକରେ ସାମିଲ୍ ହେବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ । ଏହାପରେ ଦିନ ୧୨ଟା ୩୦ ମିନିଟରେ ବ୍ରହ୍ମପୁର ଆମ୍ବପୁଆସ୍ଥିତ ବିବେକ ବିହାରରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ । ଏହାପରେ ଯିବେ ବାରିପଦା । ବାରିପଦାରେ ଅପରାହ୍ଣ ୪ଟାରେ ସାଧାରଣ ସଭାରେ ଉଦବୋଧନ ଦେବେ । ବାରପିଦାରେ ବିଜୟ ସଂକଳ୍ପ ସମାବେଶ ରହିଛି ।
ତେବେ ସୂଚନା ମୁତାବକ, ଦିନ ୧୦ଟା ୫୦ରେ ଛତିଶଗଡ଼ ବସ୍ତର ଜିଲ୍ଲା ଜଗଦଲପୁର ବିମାନବନ୍ଦରରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ନବରଙ୍ଗପୁରରେ ପହଞ୍ଚିବେ । ପ୍ରଥମେ ପୂର୍ବତନ ସେନା କର୍ମଚାରୀଙ୍କୁ ଭେଟି ଆଲୋଚନା କରିବେ । ପରେ ୧୧ଟାରୁ ୧୨ଟା ଯାଏ ବିଜେପି କୋର୍ କମିଟି ବୈଠକ ଏବଂ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ସାମିଲ ହେବେ । ମୁଣ୍ଡ ଉପରେ ନିର୍ବାଚନ ଥିବାରୁ କର୍ମୀଙ୍କ ଭିତରେ ଜୋଶ୍ ଭରିବେ ।ନବରଙ୍ଗପୁରରୁ ପୁଣି ଜଗଦଲପୁର ବିମାନବନ୍ଦରକୁ ଫେରିବେ । ସେଠାରୁ ହେଲିକପ୍ଟରରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ପହଞ୍ଚିବେ ରାଜନାଥ ।
ରଙ୍ଗେଇଲୁଣ୍ଡାରୁ ବ୍ରହ୍ମପୁରକୁ ଯାଇ ବିଜେପି ସମ୍ମିଳନୀରେ ଯୋଗ ଦେବେ । ବ୍ରହ୍ମପୁର ସଭା ସାରି ସେ ମୟୂରଭଞ୍ଜର ଅମର୍ଦ୍ଦା ରୋଡ୍ ଏୟାରଷ୍ଟ୍ରିପ୍ରେ ପହଞ୍ଚିବେ । ସେଠାରୁ ବାରିପଦା ଷ୍ଟାଡିୟମ ଅଭିମୁଖେ ବାହାରିବେ । ଷ୍ଟାଡିୟମରେ ଏକ ବିଶାଳ ଜନସଭାକୁ ସେ ସମ୍ବୋଧିତ କରିବେ । ବିଜେପି କାର୍ଯକର୍ତ୍ତାଙ୍କୁ ମଧ୍ୟ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ଅଛି । ଏହାପରେ ସେ ମୟୂରଭଞ୍ଜରୁ ଦିଲ୍ଲୀକୁ ଫେରିଯିବେ ।