ବାଇକ୍ ରାଲିରେ ଯୋଗ ଦେଇ ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନରେ ସାମିଲ ହେବାକୁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଓଡିଆ ନ୍ୟୁଜ୍(ବ୍ୟୁରୋ): ପଶ୍ଚିମବଙ୍ଗ ଲୋକସଭା ପ୍ରବାସରେ ଥିବା କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ, ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ‘ଅମୃତ ମହୋତ୍ସବ ପାଳନ’ ଅବସରରେ କୋଲକାତା ଉତ୍ତର ଠାରେ ଏକ ବାଇକ୍ ଶୋଭାଯାତ୍ରାରେ ଯୋଗଦେଇ ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନରେ ସାମିଲ ହେବାକୁ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କୋଲାକାତା ରାଜପଥରେ ବାଇକ ରାଲିରେ ଜାତୀୟ ପତାକା ଧରି ଜାତୀୟ ଏକତା, ଶାନ୍ତି, ସାମାଜିକ ସୌହାର୍ଦ୍ଦ୍ୟର ବାର୍ତ୍ତା ବାଣ୍ଟିଥିଲେ । ‘ଆଜାଦୀ କା ଅମୃତ ମହୋତ୍ସବ’ ସମୟରେ ଏହି ଅଭିଯାନ ସମସ୍ତଙ୍କୁ ପୁନର୍ବାର ଆତ୍ମନିର୍ଭର ଭାରତ ଗଠନ ଦିଗରେ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି । ଏହି ବାଇକ ରାଲି ଅବସରରେ କେନ୍ଦ୍ରମନ୍ତ୍ରୀ ନିଃସ୍ୱାର୍ଥପର ଦେଶପ୍ରେମୀ ତଥା ପଶ୍ଚିମବଙ୍ଗର ସୁଯୋଗ୍ୟ ସନ୍ତାନ ଡ.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ମହାନ ବ୍ୟକ୍ତିବିଶେଷଙ୍କ ଜାତୀୟ ଏକତା ଏବଂ ବିକାଶ ପାଇଁ ତାଙ୍କର ଅତୁଳନୀୟ ଅବଦାନ ପାଇଁ ଦେଶ ସର୍ବଦା ମନେରଖିବ ।

ପଶ୍ଚିମବଙ୍ଗ ଲୋକସଭା ପ୍ରବାସ ଅଧୀନରେ ଶ୍ରୀ ପ୍ରଧାନ ବିଶିଷ୍ଟ ବ୍ୟକ୍ତିବିଶେଷ ଓ ଲୋକମାନଙ୍କୁ ମୋଦି ସରକାରଙ୍କ 8 ବର୍ଷର ସେବା, ସୁଶାସନ, ଗରିବ କଲ୍ୟାଣର ହିସାବ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ହୋଇଥିବା ଗରିବ କଲ୍ୟାଣକାରୀ ଯୋଜନା ଗୁଡ଼ିକ ଉପରେ ଚର୍ଚ୍ଚା ଆଲୋଚନା କରିଥିଲେ । ଏହାବ୍ୟତିତ କାଶୀପୁର କୈଳାଶ ଧାମ ମନ୍ଦିରରେ ଭଗବାନ ଶିବଙ୍କ ପୂଜାର୍ଚ୍ଚନା କରିଥିଲେ । କାନକୁରଗାଚ୍ଛି ସ୍ଥିତ ରାମକୃଷ୍ଣ ମଠ ପରିଦର୍ଶନ କରିବା ସହ ସାଧୁ ସନ୍ଥଙ୍କ ଆଶୀର୍ବାଦ ନେଇଥିଲେ । ସେହିପରି ଶ୍ରୀ ରାମକ୍ରୀଷ୍ଣ ପ୍ରେମ ବିହାର ଆଶ୍ରମ ପରିଦର୍ଶନ କରିଥିଲେ । ‘ଅନୁସିଲିଆନ ସମିତି’ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଭାରତ ସରକାରଙ୍କ ଶିକ୍ଷା ବ୍ୟବସ୍ଥାକୁ ନେଇ ଥିବା ଯୋଜନା, ନ୍ୟାସନାଲ କରିକୁଲମ ଫ୍ରେମଓ୍ୱାର୍କ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ ।