ସ୍ୱାଧୀନତା ସଂଗ୍ରାମୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ସ୍ଥାପନା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍,ଓଡ଼ିଶା ପ୍ରଶାସନ ପୂର୍ବପୁରୁଷଙ୍କୁ ସମ୍ମାନ କରନ୍ତୁ କିମ୍ବା ନ କରନ୍ତୁ କିନ୍ତୁ ଅସମ୍ମାନ କରନ୍ତୁ ନାହିଁ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ):ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଅନୁଗୋଳର ଗୋପବନ୍ଧୁ ପାର୍କରେ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସ୍ଥାପନା ନେଇ ଉପୁଜିଥିବା ବିବାଦକୁ ନେଇ ଦୁଃଖପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶା ପ୍ରଶାସନ ପୂର୍ବପୁରୁଷଙ୍କୁ ସମ୍ମାନ କରନ୍ତୁ କିମ୍ବା ନ କରନ୍ତୁ କିନ୍ତୁ ଅସମ୍ମାନ କରନ୍ତୁ ନାହିଁ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ।

ଏହି ଘଟଣାକୁ ଦୁଃଖଦାୟକ କହିବା ସହ ଓଡ଼ିଶାର ମହାନ ବିଭୂତିଙ୍କ ପ୍ରତିମୂର୍ତ୍ତି ସ୍ଥାପନା ବେଳେ ପ୍ରଶାସନ ଅଧିକ ସମ୍ବେଦନଶୀଳ ଓ ଯତ୍ନବାନ ହେବା ଆବଶ୍ୟକ । ଅନୁଗୋଳ ପ୍ରଶାସନ ଦ୍ୱାରା ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ବାରମ୍ବାର ବିକୃତ ପ୍ରତିମୂର୍ତ୍ତି ସ୍ଥାପନ ଲୋକଙ୍କୁ ଆଘାତ ଦେଇଛି । ପ୍ରଶାସନ ଯଥାଶୀଘ୍ର ସ୍ୱର୍ଗତ ଚୌଧୁରୀଙ୍କ ପରିବାର ଓ ବିଶେଷଜ୍ଞଙ୍କ ପରାମର୍ଶ ନେଇ ବରପୁତ୍ରଙ୍କ ସଠିକ୍ ପ୍ରତିମୂର୍ତ୍ତି ନିର୍ମାଣ କରି ପୁନଃସ୍ଥାପନ କରିବା ସହ ଯଥୋଚିତ ସମ୍ମାନ ଦେବା ଉଚିତ୍ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।

ସେପଟେ ତ୍ରୁଟି ସୁଧାରିବାକୁ ଯାଇ ପୁଣି ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିକୁ ପୌରପାଳିକା ପକ୍ଷରୁ ବିକୃତ କରାଯାଇଥିବା ଅଭିଯୋଗ । ଧୋତି ଓ ହାତକଟା କୁର୍ତ୍ତାରେ ଜୀବନ ବିତାଇଥିବା ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ପୌରପାଳିକା ପକ୍ଷରୁ ପିନ୍ଧାଇ ଦେଇଥିଲେ ଫୁଲ ସାର୍ଟ, ଫୁଲ ପ୍ୟାଣ୍ଟ ସହ ଜୋତା । ସେପଟେ ପୌରପାଳିକା ବିଭିନ୍ନ ମହଲରେ ସରବ୍ୟର ଶିକାର ହେବା ପରେ ଫୁଲ୍ ପ୍ୟାଣ୍ଟ ବଦଳରେ ଧୋତି ପିନ୍ଧାଇଛି । ଆଉ ସେଥିରେ ମଧ୍ୟ ରହିଛି ବ୍ୟାପକ ତ୍ରୁଟି ।

ବର୍ତ୍ତମାନ ମୂର୍ତ୍ତିରେ ନବକୃଷ୍ଣ ଚୌଧୁରୀଙ୍କୁ ପିନ୍ଧା ଯାଇଥିବା ଧୋତିକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ନବକୃଷ୍ଣ ଚୌଧୁରୀଙ୍କ ସୁକନ୍ୟା କୃଷ୍ନା ମହାନ୍ତିଙ୍କ ସମେତ ନବ ପ୍ରେମୀ । ସେ କହିଛନ୍ତି, ନବକୃଷ୍ଣ ଚୌଧୁରୀ ସାଧାରଣ ଓଡ଼ିଆଙ୍କ ପରି ଧୋତି ପିନ୍ଧୁଥିଲେ। ତାଙ୍କ ଧୋତି ପିନ୍ଧାରେ ରହିଥିଲା ଓଡ଼ିଆର ଠାଣି । କିନ୍ତୁ, ପ୍ରତିମୂର୍ତ୍ତିରେ ତାଙ୍କୁ ବିକୃତ କରାଯାଇଥିବା ଅଭିଯୋଗ ହୋଇଛି । ବାରମ୍ବାର ମହାପୁରୁଷଙ୍କୁ ଅପମାନ କରିବା ପରିବର୍ତ୍ତେ ପ୍ରତିମୂର୍ତ୍ତି ବରଂ ନ କରିବା ଉଚିତ ବୋଲି ଶ୍ରୀମତୀ ମହାନ୍ତି କ୍ଷୋଭର ସହ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ମୂର୍ତ୍ତି ସ୍ଥାପନା ବା ନବକୃଷ୍ଣ ପୋଷାକ ସଂକ୍ରାନ୍ତରେ ଯଦି ପ୍ରଶାସନ ଅଜ୍ଞ ତେବେ ଏନେଇ ପ୍ରଶାସନ ନବକୃଷ୍ଣଙ୍କ ଦାୟାଦଙ୍କ ଠାରୁ ପଚାରି ବୁଝିବାର ଥିଲା । ପୌର ପ୍ରଶାସନର ଏଭଳି ମାନସିକତାକୁ ନେଇ ଉଠିଲା ପ୍ରଶ୍ନ । ତୁରନ୍ତ ତ୍ରୁଟି ସୁଧାରିବା ସହ କ୍ଷମା ପ୍ରାର୍ଥନା କରିବାକୁ ଦାବି କଲେ ନବ ପ୍ରେମୀ ।

Leave A Reply

Your email address will not be published.