ସିଙ୍ଗାପୁରର ଉପ ପ୍ରଧାନମନ୍ତ୍ରୀ ଏବଂ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ, ଉଭୟ ଦେଶର ସ୍ୱାର୍ଥ ଉପରେ କାର୍ଯ୍ୟ କରିବ ଭାରତ ଓ ସିଙ୍ଗାପୁର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ତିନିଦିନିଆ ସିଙ୍ଗାପୁର ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଗସ୍ତର ପ୍ରଥମ ଦିନରେ ସିଙ୍ଗାପୁରର ଉପ ପ୍ରଧାନମନ୍ତ୍ରୀ ତଥା ଅର୍ଥ ମନ୍ତ୍ରୀ ଲରେନ୍ସ ଓ୍ୱଙ୍ଗ ଏବଂ ସିଙ୍ଗାପୁରର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଗାନ୍ କିମ୍ ୟୋଙ୍ଗଙ୍କୁ ଭେଟି ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶର ସମ୍ପର୍କକୁ ମଜଭୂତ କରିବା ଉପରେ ଆଲୋଚନା କରିଛନ୍ତି ।

ଏହି ଦୁଇ ପ୍ରମୁଖ ମନ୍ତ୍ରୀଙ୍କ ସହ ବୈଠକରେ ଶ୍ରୀ ପ୍ରଧାନ ଭାରତ ଓ ସିଙ୍ଗାପୁର ମଧ୍ୟରେ ଦକ୍ଷତା ବିକାଶ, ବୈଷୟିକ ଓ ଧନ୍ଦାମୂଳକ ଶିକ୍ଷା କ୍ଷେତ୍ରରେ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ଦିଗରେ ଆଲୋଚନା କରିଛନ୍ତି ଏବଂ ବୈଠକ ଫଳପ୍ରଦ ହୋଇଥିବା ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ଉଭା ହେଉଥିବା ଭବିଷ୍ୟତ ହେଉଛି ଅସୀମିତ ସୁଯୋଗର ଅବସର ଦେଉଛି । ଉଭୟ ଦେଶକୁ ମିଳୁଥିବା ଲାଭ ଉପରେ କାର୍ଯ୍ୟ କରିବା ପାଇଁ ଦୁଇ ମନ୍ତ୍ରୀ ସମ୍ମତି ପ୍ରକାଶ କରିଛନ୍ତି । ସେହିପରି ଜୀବନବ୍ୟାପୀ ଶିକ୍ଷା ଗ୍ରହଣ ପାଇଁ ସୁଯୋଗ ସୃଷ୍ଟି କରିବା, ଭବିଷ୍ୟତ ପାଇଁ ମାନବ ସମ୍ବଳ ପ୍ରସ୍ତୁତ କରିବା ତଥା ଶିକ୍ଷା ଓ ଦକ୍ଷତା ବିକାଶ ମାଧ୍ୟମରେ ରଣନୈତିକ ଭାଗିଦାରୀକୁ ଅଧିକ ଦୃଢୀଭୂତ କରିବା ଦିଗରେ ଆଲୋଚନା ହୋଇଛି ।

ସେହିପରି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀଙ୍କ ସହ ଦକ୍ଷତା ବିକାଶକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ କେନ୍ଦ୍ରମନ୍ତ୍ରୀ । ନିକଟରେ ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ଓ୍ୱାର୍କସପର ଫଳାଫଳକୁ ନେଇ ବିଚାର ବିମର୍ଶ ହୋଇଥିଲା । ଭାରତର ଦକ୍ଷତା ପରିସଂସ୍ଥାନ ସାମ୍ନାରେ ଥିବା ଆହ୍ୱାନ ଏବଂ ପରିବର୍ତ୍ତନ ପାଇଁ ସିଙ୍ଗାପୁରର ଜ୍ଞାନ ଏବଂ ଅଭିଜ୍ଞତାକୁ କିପରି ଭାରତ ବ୍ୟବହାର କରିପାରିବ ସେ ଦିଗରେ ଆଲୋଚନା ହୋଇଥିଲା ।

ଏହାବ୍ୟତିତ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମାନବ ସମ୍ବଳକୁ ପ୍ରଶିକ୍ଷିତ କରାଇବାରେ ସିଙ୍ଗାପୁର ଆପଣାଇଥିବା ମଡେଲ୍ ଏବଂ ବେଷ୍ଟ ପ୍ରାକ୍ଟିକ୍ସ ଉପରେ ମନ୍ତ୍ରୀଙ୍କ ଠାରୁ ଅବଗତ ହୋଇଥିଲେ । ସ୍କିଲିଂ ଉପରେ ପ୍ରାଥମିକତା ଦେଇ ନୂତନ ସୁଯୋଗ ସୃଷ୍ଟି କରିବା ତଥା ଉଭୟ ଦେଶର ପାରସ୍ପରିକ ଲାଭ ପାଇଁ ସେ ଆଲୋଚନା କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଶ୍ରୀ ପ୍ରଧାନ ସ୍ପେକ୍ଟ୍ରା ସେକେଣ୍ଡାରୀ ସ୍କୁଲ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ।

Leave A Reply

Your email address will not be published.