ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ ସାଇନ୍ସ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଏବଂ ପ୍ରଶିକ୍ଷକମାନଙ୍କୁ ଭେଟିଲେ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ ସାଇନ୍ସ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ କ୍ୟାମ୍ପସ ପରିସରରେ ଦିବ୍ୟାଙ୍ଗ ଶିଶୁ ମାନଙ୍କ ପାଇଁ ଥିବା ମଡେଲ୍ ସେଣ୍ଟର, ଇଣ୍ଟିଗ୍ରେଟେଡ ରିହାବିଲିଟେସନ ସେଣ୍ଟର, କ୍ଲିନିକ୍ ବ୍ଲକ, ଏକାଡେମିକ ବ୍ଲକ, ବାଲମୁକୁନ୍ଦ ରେହାବ ହସ୍ପିଟାଲ ବୁଲି ଦେଖିବା ସହ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଏବଂ ପ୍ରଶିକ୍ଷକମାନଙ୍କୁ ଭେଟିଥିଲେ।
ଧର୍ମେନ୍ଦ୍ର ବୁଲି ସାରିବା ପରେ କହିଛନ୍ତି ଆଜି ମୋ ପାଇଁ ଏକ ସ୍ମରଣୀୟ ଦିନ । ଶିକ୍ଷାନୁଷ୍ଠାନର ଅନୁକୂଳଯୁକ୍ତ ଶୈକ୍ଷିକ ବାତାବରଣରେ ଦିବ୍ୟାଙ୍ଗ ମାନଙ୍କୁ ଗୁଣାତ୍ମକ ଶିକ୍ଷା ସହ ବିଭିନ୍ନ ଚିକିତ୍ସା, ଥେରାପି ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଉଦ୍ୟମ ଖୁବ ପ୍ରଶଂସନୀୟ ।
ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଅଞ୍ଚଳରେ ଏକ ଉତ୍କର୍ଷ କେନ୍ଦ୍ର ଭାବେ ପରିଣତ ହେଉଥିବା ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ ସାଇନ୍ସକୁ ୟୁଜିସି ବିଶେଷ ବର୍ଗରେ ସ୍ୱୟଂଶାସିତ ମହାବିଦ୍ୟାଳୟ ପାଇଁ ମାନ୍ୟତା ପ୍ରଦାନ କରାଯିବା ଖୁସିର ବିଷୟ । ଦୀର୍ଘ ୨୫ ବର୍ଷ ଧରି ଦିବ୍ୟାଙ୍ଗ ମାନଙ୍କୁ ପାଠ ପଢାଇବା ସହ ମଣିଷ ତିଆରି କାମରେ ଲାଗିଥିବା ଏହି ଅନୁଷ୍ଠାନକୁ ଆଗକୁ ନେବା ଆମ ସମସ୍ତଙ୍କ ଦାୟିତ୍ୱ ।
ପ୍ରଧାନମନ୍ତ୍ରୀ Narendra Modi ଦେଶରେ ପ୍ରଥମ ଥର ପାଇଁ ଦିବ୍ୟାଙ୍ଗଙ୍କ ପରିଭାଷା ବଦଳାଇଛନ୍ତି । ମୋଦି ସରକାରରେ ଦିବ୍ୟାଙ୍ଗ ମାନଙ୍କୁ ଉଚିତ୍ ସମ୍ମାନ ମିଳିଛି । ବିଶେଷ ଭାବରେ ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନ ହେବା ପରେ ଏହି ଅନୁଷ୍ଠାନରେ ଅଧ୍ୟୟନରତ ଦିବ୍ୟାଙ୍ଗ ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସହ କୁଶଳୀ କରି ସେମାନଙ୍କୁ ରୋଜଗାର ବ୍ୟବସ୍ଥା ସହ ଯୋଡିବା ଭାରତ ସରକାରଙ୍କ ପ୍ରାଥମିକତାର ବିଷୟ ହୋଇଛି ।