କାଲି ଭୁବନେଶ୍ୱର ଠାରେ ଜି -୨୦ ‘ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା ପ୍ରଦର୍ଶନୀ’ର ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର ଠାରେ ଜି-୨୦ ‘ଶିକ୍ଷା ଓ୍ୱାର୍କିଂ ଗ୍ରୁପ’ର ତୃତୀୟ ବୈଠକର ଅବ୍ୟବହିତ ପୂର୍ବରୁ ଆସନ୍ତାକାଲି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର ଆଇଏମଏମଟି ପରିସର ଠାରେ ଆୟୋଜିତ ଜି-୨୦ ଭାରତ ‘ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା’ ପ୍ରଦର୍ଶନୀର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ପ୍ରଦର୍ଶନୀକୁ ଲୋକାର୍ପଣ ସହ ପରିଦର୍ଶନ କରିବା ପରେ ଶ୍ରୀ ପ୍ରଧାନ ସେଠାରେ ‘ଭବିଷ୍ୟତର କାର୍ଯ୍ୟଶୈଳୀ’ ପାଇଁ ଅନୁଷ୍ଠିତ ଏକ ସମ୍ମିଳନୀରେ ଯୋଗଦେବେ । ସମ୍ମିଳନୀର କଥାବସ୍ତୁ ରହିଛି “ଭବିଷ୍ୟତ କାର୍ଯ୍ୟଶୈଳୀରେ ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱ” । ଏଥିରେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା, ଏଆଇ, ମେଟା ଭର୍ସ, ଅଟୋମେସନ, ମେସିନ ଲର୍ଣ୍ଣି ଇତ୍ୟାଦି ଉପରେ ମଧ୍ୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଭାରତର ଅନ୍ତରାଷ୍ଟ୍ରୀୟ ସହଭାଗିତାକୁ ସୁଦୃଢ଼ କରିବା ସହ ଭବିଷ୍ୟତର କାର୍ଯ୍ୟଶୈଳୀକୁ ନେଇ ଢାଞ୍ଚା ପ୍ରସ୍ତୁତ କରିବା ଦିଗରେ ଏହି ବିଚାରବିମର୍ଷରେ ଅଧିକ ଗୁରୁତ୍ୱ ଦିଆଯିବ ।

ଓଡ଼ିଶାରେ କଥାବସ୍ତୁ ‘ଭବିଷ୍ୟତର କାର୍ଯ୍ୟ’ ରହିଥିବା ବେଳେ ଜିଲ୍ଲା ଗୁଡ଼ିକରେ ଉଭା ହେଉଥିବା କୌଶଳ ଆବଶ୍ୟକତା ଓ ନିରନ୍ତର ଦକ୍ଷତା ବିକାଶ, ରି-ସ୍କିଲିଂ ଏବଂ ଅପ-ସ୍କିଲିଂର ଆବଶ୍ୟକତା ଉପରେ ବ୍ୟାପକ ବିଚାରବିମର୍ଷ କରି ସବୁଠି ପହଞ୍ଚାଇବା ପାଇଁ ଯୋଜନା କରିବା ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ସ୍ପଷ୍ଟ କଳ୍ପନା ରହିଛି।ବିଶ୍ୱରେ ଦ୍ରୁତ ଗତିରେ ଟେକ୍ନୋଲୋଜି ପରିବର୍ତ୍ତନ ହେଉଛି । ଅଟୋମେସନ ଓ ଡିଜିଟାଲ ଟେକ୍ନୋଲୋଜିକୁ ନେଇ ଭାରତ ଆଗକୁ ବଢୁଛି । ସେଥିପାଇଁ ଆଗାମୀ ଭବିଷ୍ୟତ ପାଇଁ ଅତି କୁଶଳୀ, ଦକ୍ଷ ଓ କର୍ମଯୋଗୀ ମାନବ ସମ୍ବଳର ଆବଶ୍ୟକତା ରହିଛି, ଯେଉଁମାନେ ସବୁ ସମ୍ଭାବନାକୁ ସାଥୀରେ ନେଇ ପ୍ରଗତି ସହ ତାଳ ଦେଇ ଆଗକୁ ବଢିପାରିବେ । ପ୍ରଗତିଶୀଳ ସବୁ ସମ୍ଭାବନାକୁ ସାକାରର ରୂପ ଦେଇପାରିବେ । ଏଥିପାଇଁ ଭାରତ ଜି-୨୦ ପ୍ରେସେଡିନ୍ସି ପ୍ରତିବଦ୍ଧ । ଆସନ୍ତାକାଲି ଅନୁଷ୍ଠିତ ସମ୍ମିଳନୀରେ ଶିଳ୍ପ, ସରକାରୀ ସଂସ୍ଥା, ଆଇଟି କମ୍ପାନୀ ଏବଂ ଦକ୍ଷତା ବିକାଶ କ୍ଷେତ୍ରର ବ୍ୟକ୍ତିବିଶେଷ ଓ ଛାତ୍ରଛାତ୍ରୀମାନେ ଏହି ପ୍ରଦର୍ଶନୀରେ ଅଂଶଗ୍ରହଣ କରିବେ ।

Leave A Reply

Your email address will not be published.