ଦୁଷ୍କର୍ମ ପୀଡିତାଙ୍କ ପାଇଁ ନୂଆ ଯୋଜନା ଆଣିଲେ ସରକାର, ସୂଚନା ଦେଲେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ
ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଦିନ ଦୁଷ୍କର୍ମ ବଢିଚାଲିଛି । ବଳି ପଡୁଛନ୍ତି ନୀରିହ ଯୁବତୀ । ଏମିତି କି ନାବାଳିକାମାନେ ମଧ୍ୟ ଦୁଷ୍କର୍ମର ଶିକାର ହେଉଛନ୍ତି । ଖାଲି ଦୁଷ୍କର୍ମର ଶିକାର ହେଉଛନ୍ତି ତାହାନୁହେଁ, ବରଂ ଗର୍ଭବତୀ ହେବା ସହ ସନ୍ତାନ ଜନ୍ମଦେଇଥିବା ଖବର ରହିଛି ।
ଏପରି ଘଟଣା ବାରମ୍ବାର ସାମ୍ନାକୁ ଆସୁଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ନୂତନ ପଦକ୍ଷେପ ନିଆଯାଇଛି । କେନ୍ଦ୍ର ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ପୀଡ଼ିତା ମାନଙ୍କ ପାଇଁ ଏକ ଯୋଜନା କରାଯାଇଛି । କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଏନେଇ ସୂଚନା ଦେଇଛନ୍ତି । ଦିଆଯାଇଥିବା ସୂଚନା ଆନୁସାରେ ଯୌନ ନିର୍ଯାତନାର ଶିକାର ହୋଇଥିବା ଗର୍ଭବତୀ ନାବାଳିକାଙ୍କୁ ଆଶ୍ରୟ ଦେବ କେନ୍ଦ୍ର । ଖାଲି ଆଶ୍ରୟ ନୁହେଁ, ଖାଦ୍ୟ ଏବଂ ଆଇନଗତ ସହାୟତା ଯୋଗାଇବା ଦେବା ପାଇଁ କେନ୍ଦ୍ର ଯୋଜନା ଆରମ୍ଭ କରିଛି । ଦୁଷ୍କର୍ମ ହେଉ କିମ୍ବା ଗଣଦୁଷ୍କର୍ମରେ ଶିକାର ହୋଇଥିବା ନାବାଳିକାମାନଙ୍କୁ କେନ୍ଦ୍ର ସରକାର ନ୍ୟାୟ ଦେବେ ।
ଏଥି ପାଇଁ ସହାୟତା ଓ ସେମାନଙ୍କ ଯତ୍ନ ନେବାକୁ ପ୍ରସ୍ତାବ ଦିଆଯାଇଛି।WCD ମନ୍ତ୍ରଣାଳୟ ଏଥିପାଇଁ ୭୪.୧୦ କୋଟି ଟଙ୍କା ଅନୁମୋଦନ କରିଛି । ଏହା ଗୋଟିଏ ସପ୍ତାହ ମଧ୍ୟରେ ସାରା ଦେଶରେ ପ୍ରଯୁଜ୍ୟ ହେବ ବୋଲି ମନ୍ତ୍ରଣାଳୟର ଅଧିକାରୀମାନେ କହିଛନ୍ତି । ମନ୍ତ୍ରଣାଳୟ ଆହୁରି କହିଛି ଯେ, କେତେକ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଯେଉଁଠି ପୀଡିତମାନେ ଗର୍ଭବତୀ ହୁଅନ୍ତି, ସେମାନଙ୍କୁ ମେଡିକାଲ ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଯୋଜନାରେ ଆଶ୍ରୟ, ଖାଦ୍ୟ, ଦୈନନ୍ଦିନ ଆବଶ୍ୟକତା ଏବଂ କୋର୍ଟର ଶୁଣାଣିରେ ଯୋଗଦେବା ପାଇଁ ନିରାପଦ ପରିବହନର ବ୍ୟବସ୍ଥା କରାଯାଇଛି ।
ଖାଲି ସେତିକି ନୁହେଁ, ପୀଡ଼ିତା ନାବାଳିକା ଝିଅମାନଙ୍କୁ ଆଇନ ସହାୟତା ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ସେହିପରି ୨୦୨୧ ମସିହାରେ, ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ବା (NCRB) POCSO ଅଧିନିୟମ ଅନୁଯାୟୀ ୫୧,୮୬୩ଟି ମାମଲାର ରିପୋର୍ଟ ହୋଇଛି।
WCD ମନ୍ତ୍ରଣାଳୟର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ, ସେଥିମଧ୍ୟରୁ ୬୪ ପ୍ରତିଶତ କିମ୍ବା ୩୩,୩୪୮ଟି ମାମଲା ଆଇନର ଧାରା ୩ ଏବଂ ୫ ଅନୁଯାୟୀ ରିପୋର୍ଟ କରାଯାଇଛି। ସରକାରଙ୍କ ଏହି ସହାୟତା ପୀଡ଼ିତାଙ୍କୁ ୧୮ ବର୍ଷ ବୟସ ହେବା ପର୍ଯ୍ୟନ୍ତ ରହିଛି । ୨୩ ବର୍ଷ ବୟସ ପର୍ଯ୍ୟନ୍ତ ଯତ୍ନ ନେବା ସୁବିଧା ରୋଖାଯାଇଛି । କେନ୍ଦ୍ର ସରକାରଙ୍କ ଏହି ଯୋଜନା ନାବାଳିକା ପୀଡ଼ିତା ମାନଙ୍କ ପ୍ରତି ବିଶେଷ ସହାୟକ ହେବ ।