ଜଳସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସରକାରୀ ଚାକିରି କରି ବାବୁ ପାଲଟି ଯାଇଛନ୍ତି କୁବେର। ଠୁଳ କରିଛନ୍ତି ଆଖି ଖୋସିଦେବା ପରି ସମ୍ପତ୍ତି। ଓଡ଼ିଶା ସମେତ ପଶ୍ଚିମବଙ୍ଗରେ ତାଙ୍କର ରହିଛି ୧୦୬ ଟି ପ୍ଲଟ୍। କେବଳ ପ୍ଲଟ ନୁହେଁ, ଏକାଧିକ ଫ୍ଲାଟ ଓ ଘର ବି କରିଛନ୍ତି ବାବୁ। ଆଜି ସକାଳୁ ସକାଳୁ ହୋଇଥିବା ଚଢ଼ାଉରେ ବାବୁଙ୍କ ଏପରି ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ। ଏସବୁ ଅମାପ ସମ୍ପତ୍ତିର ମାଲିକ ହେଉଛନ୍ତି ବାଲେଶ୍ୱର ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନ।

ଟିମ୍ ଆଜି ଭୋର ସମୟରୁ ଚଢ଼ଉ ଆରମ୍ଭ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆଧାରରେ ଏହି ଚଢ଼ଉ ହୋଇଥିବା ସୂଚନା ମିଳିଛି। ଶ୍ରୀ ପ୍ରଧାନଙ୍କ ଘର ଜଳେଶ୍ଵର ହୋଇଥିବା ବେଳେ ସେ ଅଧୀକ୍ଷଣ ଯନ୍ତ୍ରୀ ଭାବେ ୨୦୨୧ ମସିହାରୁ କାର୍ଯ୍ୟରତ ଥିଲେ। ଦୁଇ ଦିନ ତଳେ ସରକାର ତାଙ୍କୁ ସହକାରୀ ମୁଖ୍ୟ ଯନ୍ତ୍ରୀ ଭାବେ ମଧ୍ୟ ପଦୋନ୍ନତି ଦେଇଛନ୍ତି। କେନ୍ଦୁଝରରେ ସେ ଯୋଗଦେବାକୁ ଥିବାବେଳେ ତାଙ୍କ ଉପରେ ଏହି ଚଢ଼ଉ ସାଧାରଣରେ ଆଲୋଚନାର ବିଷୟ ହୋଇଛି। ତାଙ୍କ ନାମରେ ଜଳେଶ୍ଵର, ବାଲିଆପାଳ ଓ ବାଲେଶ୍ଵର ସମେତ ବିଭିନ୍ନ ସ୍ଥାନରେ ୫୦ରୁ ଉର୍ଦ୍ଧ୍ବ ପ୍ଲଟ ଥିବା ଭିଜିଲାନ୍ସ ନିକଟରେ ଅଭିଯୋଗ ରହିଛି। ଭିଜିଲାନ୍ସ ଟିମ ଶ୍ରୀ ପ୍ରଧାନଙ୍କ ନାମରେ ଓ ତାଙ୍କ ସମ୍ପର୍କୀୟଙ୍କ ନାମରେ କେତେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି ସେନେଇ ଛାନଭିନ କରୁଛି।

ଏଥିସହ ଓଡ଼ିଶାରେ ଅଧିକ୍ଷଣ ଯନ୍ତ୍ରୀଙ୍କର ୮୮ଟି ପ୍ଲଟ ଠାବ ହୋଇଥିବା ବେଳେ  ପଶ୍ଚିମବଙ୍ଗରେ ରହିଛି ୧୮ ଟି ପ୍ଲଟ୍। ଚଢ଼ାଉ ବେଳେ ପ୍ରଭାସଙ୍କ ଘରୁ ନଗଦ ୧୦ରୁ ୧୫ ଲକ୍ଷ ଟଙ୍କା ଓ ସୁନା ଅଳଙ୍କାର ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ। ଚଢ଼ାଉ ଜାରି ରହିଥିବା ବେଳେ ବାବୁଙ୍କର ସମସ୍ତ ସମ୍ପତିର ଆକଳନ କରାଯାଇପାରି ନାହିଁ। ଏଥିସହ ଭିଜିଲାନ୍ସ ଟିମ୍ ବାଲେଶ୍ୱରର କିଛି ଠିକାଦାରଙ୍କ ଘରେ ଚଢ଼ାଉ କରିଥିବା ସୂଚନା ରହିଛି।

Comments are closed.