ଆଇଆଇଟି ଭୁବନେଶ୍ୱରରେ ଭର୍ଚ୍ଚୁଆଲ ଏବଂ ଅଗମେଣ୍ଟେଡ୍ ରିଆଲିଟି ସେଣ୍ଟର ଉଦଘାଟିତ: କ୍ୟାମ୍ପସକୁ ସବୁଜ ଓ ସୁନ୍ଦର ରଖିବା ପାଇଁ ପରାମର୍ଶ ଦେଲେ ଧର୍ମେନ୍ଦ୍ର ପ୍ରଧାନ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଆଇଆଇଟି ଭୁବନେଶ୍ୱରରେ ଭର୍ଚ୍ଚୁଆଲ ଏବଂ ଅଗମେଣ୍ଟେଡ୍ ରିଆଲିଟି ସେଣ୍ଟର ଅଫ୍ ଏକ୍ସଲେନ୍ସ ଉଦଘାଟନ କରିଛନ୍ତି । ଏହା ସେଣ୍ଟର ବିଭିନ୍ନ କ୍ଷେତ୍ରରେ ଡିଜିଟାଲ ପରିବର୍ତ୍ତନ ତ୍ୱରାନ୍ୱିତ କରିବ ଓ ଆପ୍ଲିକେସନ୍ ଦ୍ୱାରା ପରିଚାଳିତ ଗବେଷଣାକୁ ପ୍ରୋତ୍ସାହନ ଦେବା ସହ ଉଦ୍ୟମିତାକୁ ପ୍ରୋତ୍ସାହିତ କରିବ ବୋଲି ସେ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ସ୍ଥାପତ୍ୟ ଆଦି କ୍ଷେତ୍ରରେ ପରିବର୍ତ୍ତନ କରିବା ପାଇଁ ଏଆର ଏବଂ ଭିଆର ପାଖରେ ଅପାର ସାମର୍ଥ୍ୟ ରହିଛି । ଏହିଭଳି ଭାବେ ଆଇଆଇଟି ଭୁବନେଶ୍ୱର ନ୍ୟୁ ଇଣ୍ଡିଆର ପରିବର୍ତ୍ତିତ ଆକାଂକ୍ଷା ସହ ତାଳ ଦେଇ ନବସୃଜନ ଏବଂ ସମାଧାନର ସ୍ଥାନୀୟକରଣ କରିବା ଉପରେ ଗୁରୁତ୍ୱ ଦେବା ଦରକାର ।

ଆଇଆଇଟି ଭୁବନେଶ୍ୱର ଉନ୍ନତମାନର ପରୀକ୍ଷାମୂଳକ ସୁବିଧା ପ୍ରଦାନ କରିବା ପାଇଁ ଦୁଇଟି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିବା ପ୍ରଶଂସନୀୟ । ଗୋଟିଏ ହେଲା ମ୍ୟାଟେରିଆଲ ପଦ୍ଧତିକୁ ଜାଣିବା ସହ ପ୍ରକ୍ରିୟାକରଣ, ଉତ୍ପାଦନ କେନ୍ଦ୍ର ଏବଂ ଅନ୍ୟଟି ହେଲା ଲାବୋରେଟୋରୀ ଗ୍ରୋନ ଡାଇମଣ୍ଡ କେନ୍ଦ୍ର । ଏହି ସୁବିଧା ଶିକ୍ଷାନୁଷ୍ଠାନର ଗବେଷଣା ଓ ବିକାଶ ଏବଂ ନବସୃଜନ କ୍ଷେତ୍ରକୁ ସମ୍ପ୍ରସାରଣ କରିବ । ମ୍ୟାଟେରାଲ ସାଇନ୍ସରେ ନବସୃଜନ ଏବଂ ଗବେଷଣାକୁ ସୁଦୃଢ଼ କରିବ । ଶିଳ୍ପ-ଶିକ୍ଷାଗତ ସମ୍ପର୍କକୁ ପ୍ରୋତ୍ସାହିତ କରିବା ସହ ଗୁରୁତ୍ୱପୂର୍ଣ୍ଣ ଜ୍ଞାନକୌଶଳର ବିକାଶରେ ସହାୟତା କରିବ । ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ସଙ୍ଗେସଙ୍ଗେ ନିଯୁକ୍ତି ବୃଦ୍ଧି କରିବ ଏବଂ ଭାରତକୁ ଆତ୍ମନିର୍ଭର କରିବ ।

ଏହି ଅବସରରେ ଶ୍ରୀ ପ୍ରଧାନ ଶିକ୍ଷାନୁଷ୍ଠାନର ନବନିଯୁକ୍ତ ସମସ୍ତ ଅଧ୍ୟାପକମାନଙ୍କୁ ଭେଟି ଅଭିନନ୍ଦନ ଜଣାଇଥିଲେ । ଯୁବକମାନଙ୍କ ମନରେ ସାମାଜିକ ଦାୟିତ୍ୱ ସୃଷ୍ଟି କରିବା ଏବଂ ଜାତୀୟ ଶିକ୍ଷା ନୀତିର ଦର୍ଶନ ଅନୁଯାୟୀ ବୈଶ୍ୱିକ ନାଗରିକ ହେବା ପାଇଁ ସେମାନଙ୍କୁ ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ । ସେ କହିଥିଲେ ଜାତୀୟ ଶିକ୍ଷା ନୀତି ହେଉଛି, ଏକବିଂଶ ଶତାବ୍ଦୀରେ ବିଶ୍ୱର ମାନବ ସମ୍ବଳର ଆବଶ୍ୟକତାକୁ ପୂରଣ କରିବା ଭଳି ଏକ ଦାର୍ଶନିକ ତତ୍ତ୍ୱ । ଏକ ଆଧୁନିକ, ସାଂସ୍କୃତିକ ଭିତ୍ତିକ ଓ ବିକଶିତ ଭାରତର ଲକ୍ଷ୍ୟକୁ ସାକାର କରିବା ପାଇଁ ଆମେ ସମସ୍ତେ ଏହାକୁ କାର୍ଯ୍ୟକାରୀ କରିବା ଉଚିତ୍ ।

ଆଇଆଇଟି ଭୁବନେଶ୍ୱର ଠାରେ ଶ୍ରୀ ପ୍ରଧାନ ଆଇଆଇଟି ଭୁବନେଶ୍ୱର ସମେତ ଆଇଆଇଏମ ସମ୍ବଲପୁର, ଏନଆଇଟି ରାଉରକେଲା, ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟ ଏବଂ ଆଇଜର ବ୍ରହ୍ମପୁରର ଭିତ୍ତିଭୂମି, ରିସର୍ଚ୍ଚ ପ୍ରଜେକ୍ଟ ଏବଂ ଏକାଡେମିକ୍ ପ୍ରୋଗ୍ରାମ ଉପରେ ଶ୍ରୀ ପ୍ରଧାନ ସମୀକ୍ଷା କରିଥିଲେ ।

ଆଇଆଇଟି ପରିସରରେ ବୃକ୍ଷରୋପଣ କରିବା ସହ କ୍ୟାମ୍ପସକୁ ସବୁଜ ଓ ସୁନ୍ଦର ରଖିବା ବ୍ୟାପକ ବୃକ୍ଷରୋପଣ ଅଭିଯାନ କରିବା ପାଇଁ ପରାମର୍ଶ ଦେଇଥିଲେ । ଆଇଆଇଟି ଆସିଲେ ନୂଆ ବିଷୟ ଜାଣିବାକୁ ମିଳିଥାଏ । ଏହି ଅନୁଷ୍ଠାନ ଆମକୁ ସର୍ବଦା ନୂଆ ଉର୍ଜା, ପ୍ରେରଣା ଦେଇଥାଏ ଏବଂ ଶିକ୍ଷାର୍ଥୀମାନଙ୍କୁ ନିଜ ଭିତରେ ଜାଗ୍ରତ କରିଥାଏ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ ।

Leave A Reply

Your email address will not be published.