ମାଆ , ମାଟି, ମାତୃଭାଷା ଏବଂ ସଂସ୍କୃତି ପାଇଁ ବିଷ୍ଣୁ ସେଠୀଙ୍କ ଜୀବନ ଥିଲା ସମର୍ପିତ – ମୁଖ୍ୟମନ୍ତ୍ରୀ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଷ୍ଣୁ ସେଠୀ ସ୍ମୃତି ସଂସଦ ଆନୁକୁଲ୍ୟରେ ଭଦ୍ରକ ଜିଲ୍ଲାର ତିହିଡି କାଳୀ ପଡ଼ିଆରେ ସାରସ୍ଵତ ସାଧକ , ଦିବଂଗତ କବି ବିଷ୍ଣୁ ସେଠୀଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ ହୋଇଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ରଚିତ ” ନଈ ପାଣି ନଈକି ଯା” ଏବଂ ସାଧନା ସାହିତ୍ୟ ଏକାଡେମୀ ଦ୍ଵାରା ପ୍ରକାଶିତ, ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କ ସମ୍ପାଦିତ ” କବିତାରେ କବିତାରେ କବି ବିଷ୍ଣୁ ସେଠୀ ” ନାମକ ଦୁଇ ଗୋଟି ପୁସ୍ତକକୁ ଲୋକାର୍ପଣ କରି ଶ୍ରାଦ୍ଧ ବାର୍ଷିକୀରେ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଓଡିଆ ଭାଷା ସାହିତ୍ୟ ସଂସ୍କୃତିର ଗବେଷକ, ଐତିହାସକ , ପ୍ରାବନ୍ଧିକ , ଲଳିତ ନିବନ୍ଧକ, ବରିଷ୍ଠ କବି, ସଂସ୍କୃତିପ୍ରାଣ , ପ୍ରବକ୍ତା, ନିର୍ଭୀକ ରାଜନେତା, ଘାସଫୁଲର ପ୍ରତିଷ୍ଠାତା ସମ୍ପାଦକ, ସାଧନା ସାହିତ୍ୟ ଏକାଡେମୀର ପ୍ରତିଷ୍ଠାତା ସଭାପତି ଦିବଂଗତ ବିଷ୍ଣୁ ସେଠୀ ଥିଲେ ନିଜ ଜନ୍ମ ମାଟି ପାଇଁ ସମ୍ପୂର୍ଣ୍ଣ ସମର୍ପିତ।

ସେ ଜଣେ ସାରସ୍ଵତ ସାଧକ ତଥା ରାଷ୍ଟ୍ରବାଦୀ ବ୍ୟକ୍ତି ଥିଲେ। ରାଜନୀତି କ୍ଷେତ୍ରରେ ରହି ଲୋକମାନଙ୍କର ସେବା ଓ ରାଷ୍ଟ୍ରର ପ୍ରଗତିକୁ ସେ ଗୁରୁତ୍ଵ ଦେଉଥିଲେ। ଜଣେ କବି ଭାବରେ ଓଡ଼ିଶା ଜନ ମାନସରେ ସେ ବେଶ୍ ସୁନାମ ଅର୍ଜନ କରିଥିଲେ। ବିଧାନସଭାରେ ବନ୍ଦେ ଉତ୍କଳଜନନୀକୁ ରାଜ୍ୟ ସଙ୍ଗୀତର ମାନ୍ୟତା ଦେବା ପାଇଁ ସେ ପ୍ରଥମେ ସ୍ବର ଉତ୍ତୋଳନ କରିଥିଲେ।ସଂଘର୍ଷ ଓ ସମ୍ଭାବନା ଜାରି ରଖିଥିଲେ।ଭଦ୍ରକ ସାଂସ୍କୃତିକ ଭିତ୍ତଭୂମିକୁ ସେ ସୁଦୃଢ଼ କରିଥିଲେ। ମାଆ, ମାଟି, ମାତୃଭାଷା ଏବଂ ସଂସ୍କୃତି ପାଇଁ ତାଙ୍କ ଜୀବନ ଥିଲା ସମର୍ପିତ। ତାଙ୍କର ବଳିଷ୍ଠ ଓ ବୌଦ୍ଧିକ ଚିନ୍ତା ଚେତନା ଥିଲା ଆମ ପାଇଁ ମାର୍ଗଦର୍ଶନ।ବାସ୍ତବରେ ବିଷ୍ଣୁ ବାବୁ ଥିଲେ ଜଣେ ଅସାଧାରଣ ବ୍ୟକ୍ତି।

ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ବିଜୟ ପାଲସିଂହ ତୋମାର, ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ,ସାଂସଦ ଅଭିମନ୍ୟୁ ସେଠୀ ପ୍ରମୁଖ ଯୋଗ ଦେଇ ଦିବଂଗତ ବିଷ୍ଣୁ ସେଠୀଙ୍କ ଜୀବନବ୍ୟାପୀ ଅବଦାନ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଶିତାଂଶୁ ଶେଖର ମହାପାତ୍ର, ବିଜେପିର ରାଜ୍ୟ କାର୍ଯ୍ୟକାରୀ ସଭ୍ୟ କବି ଦୀନବନ୍ଧୁ ପତି, ବିଷ୍ଣୁ ସେଠୀଙ୍କ ପତ୍ନୀ ଉର୍ମିଳା ପାଣିଗ୍ରାହୀ, ଚିତ୍ର ଶିଳ୍ପୀ ଚୂଡ଼ାମଣି ଦାସ, ନାଟ୍ୟଶ୍ରୀ ନିର୍ମଳ ଚନ୍ଦ୍ର ରାଉତ, ସାଧନା ସାହିତ୍ୟ ଏକାଡେମୀର କର୍ମ କର୍ତ୍ତା ଏବଂ ବହୁ ବୁଦ୍ଧିଜୀବୀ , ସମାଜସେବୀ, ସାହିତ୍ୟିକ, ବିଷ୍ଣୁ ପ୍ରେମୀ ଉପସ୍ଥିତ ଥିଲେ। ଶେଷରେ କ୍ରୀଡା ଓ ଯୁବବ୍ୟାପାର, ଭାଷା ସାହିତ୍ୟ ଓ ସଂସ୍କୃତି ଏବଂ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଦେଇଥିଲେ |

Comments are closed.