ଆଜି ପ୍ରଥମ ପର୍ଯ୍ୟାୟରେ ଭୋଟ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ମିଜୋରାମ ବିଧାନସଭାର ସମସ୍ତ ୪୦ଟି ଆସନ ଓ ଛତିଶଗଡର ୨୦ଟି ବିଧାନସଭା ଆସନ ନିମନ୍ତେ ଆଜି ଭୋଟ ଗ୍ରହଣ କରାଯିବ। ମିଜୋରାମର ୮,୫୧,୮୯୫ଜଣ ଭୋଟରଙ୍କ ମତଦାନ ନିମନ୍ତେ ୧୨୭୬ଟି ମତଦାନ କେନ୍ଦ୍ର ଖୋଲାଯାଇଛି। ଆଜି ମିଜୋରାମ ରାଜ୍ୟର ସମସ୍ତ ୪୦ଟି ଯାକ ଆସନରେ ମତଦାନ ହେଉଥିବା ବେଳେ ଛତିଶଗଡ଼ ରାଜ୍ୟର ମୋଟ ୯୦ ଆସନ ମଧ୍ୟରୁ ୨୦ଟି ଆସନରେ ମତ ଗ୍ରହଣ ଆରମ୍ଭ ହୋଇଛି।

ଛତିଶଗଡ଼ର ମାଓ ପ୍ରବଣ ବସ୍ତର ଡିଭିଜନର ୭ ଜିଲ୍ଲାର ୧୨ଟି ଆସନ ସହ ଅନ୍ଯ ୪ଟି ଜିଲ୍ଲାର ୮ଟି ଆସନରେ ଭୋଟିଂ ଆରମ୍ଭ ହୋଇଛି। ମାଓପ୍ରବଣ ୧୦ଟି ଆସନରେ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିବ। ଅବଶିଷ୍ଟ ୧୦ଟି ଆସନରେ ମତଦାନ ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ପ୍ରଥମ ପର୍ଯ୍ୟାୟରେ ୨୨୩ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ସେଥି ମଧ୍ୟରେ ୨୫ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି। ଛତିଶଗଡ଼ ମୋଟ ୫୩୦୪ ମତଦାନ କେନ୍ଦ୍ରରେ ପ୍ରାୟ ୪୧ ଲକ୍ଷ ଭୋଟର ମତ ସାବ୍ୟସ୍ତ କରିବେ।

ଅନ୍ୟପଟେ  ଛତିଶଗଡର ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ନକ୍ସଲମାନେ ହିଂସାକାଣ୍ଡ ଘଟାଇଛନ୍ତି। ନକ୍ସଲଙ୍କ ଆକ୍ରମଣରେ ଜଣେ ବିଏସଏଫ୍
ଯବାନ ଓ ଦୁଇଜଣ ନିର୍ବାଚନ କର୍ମଚାରୀ ଆହତ​‌ ହୋଇଛନ୍ତି। ନକ୍ସଲମାନେ ଆଇଇଡି ମାଧ୍ୟମରେ ବିସ୍ଫୋରଣ ଘଟାଇଛନ୍ତି।ବିଏସଏଫ୍ ଓ ପୁଲିସ କର୍ମଚାରୀଙ୍କ ସହିତ ନିର୍ବାଚନ ପରିଚାଳନା କର୍ମଚାରୀମାନେ ମାରବେଡାରୁ ରେଙ୍ଗାହାଟିର ଏକ ମତଦାନ କେନ୍ଦ୍ରକୁ ଯାଉଥିବାବେଳେ ନକ୍ସଲମାନେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ସୂଚନାଯୋଗ୍ୟ ଛତିଶଗଡର ଅବଶିଷ୍ଟ ୭୦ଟି ଆସନ ପାଇଁ ନଭେମ୍ବର ୧୭ରେ ଭୋଟ ଗ୍ରହଣ ହେବ। ଏହି ଦୁଇ ରାଜ୍ୟ ସହିତ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ତେଲଙ୍ଗାନା ବିଧାନସଭା ନିର୍ବାଚନର ଭୋଟ ଗ୍ରହଣ ପରେ ଡିସେମ୍ବର ୩ରେ ଭୋଟ ଗଣତି ହେବ।

Leave A Reply

Your email address will not be published.