ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କମ୍ପିଲାଣି ଝାରସୁଗୁଡ଼ା ମୈଦାନ । ବୁଲିଲେଣି ପ୍ରାର୍ଥୀ, ମାଗୁଛନ୍ତି ଭୋଟ୍ । ପ୍ରବଳ ଗ୍ରୀଷ୍ମ ତାତିକୁ ଖାତିର ନକରି ପ୍ରଚାରରେ ତିନି ପ୍ରମୁଖ ଦଳର ପ୍ରାର୍ଥୀ । ଗାଁକୁ ଗାଁ ବୁଲୁଛନ୍ତି ଦୀପାଳି ଦାସ । ଆଜି କୁମୁଡାପାଲିରେ ମା’ ଦୁର୍ଗାଙ୍କ ମନ୍ଦିରରେ ଦର୍ଶନ କରି ଦୀପାଳି ଆଶୀର୍ବାଦ ନେଇଛନ୍ତି । ପରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ବଳ ଗୋଟାଉଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ଅନ୍ୟ ଦଳ ଛାଡ଼ି ବିଜେଡିରେ ମିଶୁଛନ୍ତି କର୍ମୀ । ଝାରସୁଗୁଡା ବ୍ଳକ କୁମୁଡାପାଲି ଠାରେ ଦୀପାଳି ଦାସଙ୍କ ନେତୃତ୍ୱରେ ବିଜେଡି ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି l ମିଶ୍ରଣରେ ଶତାଧିକ ପୁରୁଷ ଓ ମହିଳା ବିଜେଡିରେ ଯୋଗଦେଇଛନ୍ତି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୁଖୀ କାର୍ଯ୍ୟ ଓ ସ୍ୱର୍ଗତ ନବଦାସଙ୍କ ଲୋକପ୍ରିୟତା ଯୋଗୁଁ କର୍ମୀମାନେ ଶଙ୍ଖ ଚିହ୍ନକୁ ଆପଣାଇଥିବା କହିଛନ୍ତି । ତେବେ ଆଗକୁ ପ୍ରଚାର ଜୋରସୋରରେ ଆଗେଇବ । ବିଜେଡିର ନେତା, ମନ୍ତ୍ରୀ ଓ ପର୍ଯ୍ୟବେକ୍ଷକ କ୍ୟାମ୍ପେନରେ ଯୋଗଦେବେ ବୋଲି କହିଛନ୍ତି ଦୀପାଳି ଦାସ ।
ସେହିଭଳି ବିଜେପି ପ୍ରର୍ଥୀ ଟଙ୍କଧର ତ୍ରିପାଠୀ ପ୍ରଚାରକୁ ଜୋରଦାର କରିଛନ୍ତି । ଝାରସୁଗୁଡା ବିଟିଏମ ବିଜେପି କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ପୋରାଞ୍ଚଳର ସାଧାରଣ ଯୁବକ ବିଜେପିରେ ସାମିଲ ହୋଇଛନ୍ତି । ପ୍ରଚାରରେ ସାଥ୍ ଦେଇଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା । ଏକ ସ୍ୱଛ ର୍ନିବାଚନ ମଣ୍ଡଳୀର ଗଠନ କରିବା ବିଜେପିର ଲକ୍ଷ୍ୟ । ଆଗମୀ ଦିନରେ ଝାରସୁଗୁଡା ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ କରିବା ଲକ୍ଷ୍ୟ ରହିଛି । ଏଭଳି ଅନେକ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯାଉଛି ବିଜେପି ।… ସେପଟେ ତରୁଣ ପାଣ୍ଡେ ମଧ୍ୟ କର୍ମୀଙ୍କୁ ନେଇ ବୈଠକ କରୁଛନ୍ତି । ପିସିସି ସଭାପତି ଶରତ ପଟ୍ଟନାୟକ, ବରିଷ୍ଠ ନେତା ମହେନ୍ଦ୍ର ନାଏକ, ଜିଲ୍ଲା ସଭାପତି ଅଶୋକ ମିଶ୍ର ଯୋଗ ଦେଇଥିଲେ । ଏଥିରେ ଉପନିର୍ବାଚନର ରଣନୀତି ପ୍ରସ୍ତୁତ କରିଥିଲେ । ଏହି ଉପନିର୍ବାଚନରେ କଂଗ୍ରେସକୁ ସ୍ଥାନୀୟ ଭୋଟର ବିଜୟୀ କରାଇବେ ବୋଲି କହିଛନ୍ତି ପିସିସି ସଭାପତି ।