କାଲିଠୁ ରାଜ୍ୟରେ ବଢ଼ିବ ବର୍ଷା

0

ଓଡ଼ିଆ ନ୍ୟୁଜ୍: ଦେଶରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଇତିମଧ୍ୟରେ ମୌସୁମୀ କେରଳ ଛୁଇଁଥିବାବେଳେ ଏହା ପ୍ରଭାବରେ ରାଜ୍ୟରେ ପ୍ରାକ୍‌ମୌସୁମୀ ବର୍ଷା ଆରମ୍ଭ ହୋଇଛି। ଉତ୍ତର ଉପକୂଳ ଓଡ଼ିଶା ଏବଂ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ରବିବାର ବର୍ଷାର ବିସ୍ତୃତି ବଢ଼ିବା ସହ କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଭଦ୍ରକ, କଟକ, ଯାଜପୁର, କେନ୍ଦ୍ରପଡ଼ା ଓ ଜଗତ୍‌ସିଂହପୁର ଆଦି ଜିଲାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ସମ୍ପୃକ୍ତ ଜିଲାଗୁଡ଼ିକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି।

ସେହିପରି ଅପରାହ୍ନ ଓ ସନ୍ଧ୍ୟାରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଢ଼େଙ୍କାନାଳ, ଗଞ୍ଜାମ, ମୟୂରଭଞ୍ଜ, କେନ୍ଦୁଝରଗଡ଼, ବାଲେଶ୍ୱର, ନୟାଗଡ଼, ଖୋର୍ଦ୍ଧା, ପୁରୀ, କନ୍ଧମାଳ ଆଦି ଜିଲାରେ ପ୍ରବଳ ବର୍ଷା ହୋଇପାରେ। ଏହି ସମସ୍ତ ଜିଲାରେ ବଜ୍ରପାତ ସହ ଘଣ୍ଟାପ୍ରତି ୪୦ରୁ ୫୦ କି.ମି. ବେଗରେ ପବନ ବହିବା ସମ୍ଭାବନା ଥିବାରୁ ଅରେଞ୍ଜ ଓ୍ବାର୍ନିଂ ଜାରି କରି ବିଭାଗ ସତର୍କ କରିଛି।

Leave A Reply

Your email address will not be published.