ପଶ୍ଚିମବଙ୍ଗ ଟ୍ରେନ ଦୁର୍ଘଟଣା: ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପଶ୍ଚିମବଙ୍ଗ-ବିହାର ସୀମାନ୍ତ ନୂଆ ଜଲପାଇଗୁଡ଼ିରେ ସୋମବାର ସକାଳେ ଘଟିଥିବା ଟ୍ରେନ ଦୁର୍ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବର୍ତ୍ତମାନ ସୁଦ୍ଧା 15 ଜଣଙ୍କ ମୃତ୍ୟୁ ହୋଇଥିବା ଓ 30ରୁ ଅଧିକ ଆହତ ଯାତ୍ରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ମାଲବାହୀ ଟ୍ରେନର ଲୋକୋପାଇଲଟ ଓ ସହକାରୀ ଲୋକୋପାଇଲଟଙ୍କ ସହ ଏକ୍ସପ୍ରେସ ଟ୍ରେନର ଜଣେ ଗୁଡ୍ସ ଗାର୍ଡ ରହିଥିବା ରେଳବାଇ ସ୍ପଷ୍ଟ କରିଛି ।

ଏହା ସହିତ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ଏବଂ ଆହତଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଥିବାବେଳେ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏହି ଅର୍ଥ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଦାନ କରାଯିବ।  ସୋମବାର ସକାଳ ପ୍ରାୟ ୯ଟାରେ ବିହାର-ପଶ୍ଚିମବଙ୍ଗ ସୀମାନ୍ତ ନୂଆ ଜଲପାଇଗୁଡ଼ି ଷ୍ଟେଶନ ନିକଟରେ କାଞ୍ଚନଜଙ୍ଗା

ଏକ୍ସପ୍ରେସକୁ ଏକ ମାଲବାହୀ ଟ୍ରେନ ଧକ୍କା ଦେବା ଫଳରେ ୧୫ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୬୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ କାଞ୍ଚନଜଙ୍ଗା ଏକ୍ସପ୍ରେସର ୩ଟି ବଗି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିବାବେଳେ ମାଲବାହୀ ଟ୍ରେନର ଅନେକ ବଗି ଲାଇନଚ୍ୟୁତ ହୋଇଯାଇଛି।

Leave A Reply

Your email address will not be published.