କପଡା ଧୋଇବାକୁ ଯାଇଥିବାବେଳେ ମହିଳାଙ୍କୁ ଟାଣି ନେଇ ଝୁଣି ଦେଲା କୁମ୍ଭିର

0

ଓଡିଆ ନ୍ୟୁଜ୍ (ବ୍ୟୁରୋ) : କପଡା ଧୋଇବାକୁ ଯାଇଥିବାବେଳେ ନଦୀ ଭିତରକୁ ମହିଳାଙ୍କୁ କୁମ୍ଭୀର ଟାଣି ନେଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅନ୍ତର୍ଗତ ପାଟପୁର ଠାରେ। ମୃତ ମହିଳା ଜଣଙ୍କ ହେଲେ ଅନାମ ଚରଣ ଜେନାଙ୍କ ପତ୍ନୀ ଜୋସ୍ନା ଜେନା।

ସଳଚନା ଅନୁସାରେ ଆଜି ସକାଳେ ଜୋସ୍ନା ବିରୂପା ନଦୀକୁ ଲୁଗା ଧୋଇବାକୁ ଯାଇଥିଲେ। ଏହି ସମୟରେ ତାଙ୍କୁ କୁମ୍ଭୀର ଟାଣିନେଇଥିଲା। ଏନେଇ ଗ୍ରାମବାସୀ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍‌କୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍‌ ପହଞ୍ଚି ଜୋସ୍ନାଙ୍କ ଖୋଜାଖୋଜି କରିଥିଲେ। କିଛି ସମୟ ଖୋଜାଖୋଜି କରିବା ପରେ ମହିଳାଙ୍କ ଖଣ୍ଡବିଖଣ୍ଡ ମୃତଦେହ ନଦୀରୁ ଉଦ୍ଧାର କରାଯାଇଛି। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିରୂପା ନଦୀରେ କୁମ୍ଭୀର ଥିବା ନେଇ ବନ ବିଭାଗକୁ ବାରମ୍ବାର ଅବଗତ କରାଇଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରଯାଇ ନାହିଁ। ପ୍ରଶାସନ ପକ୍ଷରୁ ମଧ୍ୟ ଲୋକମାନଙ୍କୁ ସଚେତନା କରାଯାଇନାହିଁ କି ନଦୀକୁ ଯିବାକୁ ଲୋକଙ୍କୁ ବାରଣ କରାଯାଇନାହିଁ।

କହିରଖୁ ଯେ, କିଛି ଦିନ ତଳେ କେମିତି ପଟ୍ଟାମୁଣ୍ଡାଇ ନିମପୁର ବ୍ରାହ୍ମଣୀ ନଦୀକୂଳରୁ ମାଦ ପାଖରୁ ଟାଣିନେଇ ୮ବର୍ଷର ବାଳକକୁ କୁମ୍ଭୀର ଖାଇଦେଇଥିଲା ସେକଥା ସମସ୍ତଙ୍କୁ ମ୍ରିୟମାଣ କରିଥିଲା । କେନ୍ଦ୍ରାପଡ଼ା ରାଜନଗରରେ ଜଣେ ସାଧୁଙ୍କୁ କୁମ୍ଭୀର ଟାଣିନେଇ ଖାଇଦେବା ପରେ କେବଳ ମୁଣ୍ଡ ହିଁ ଉଦ୍ଧାର ହୋଇପାରିଥିଲା । ବରୀ ଅଞ୍ଚଳ ପାଇଁ ବିରୂପା ନଦୀ ଜୀବନରେଖା । ନିତିଦିନିଆ କାର୍ୟ୍ୟ ପାଇଁ ଏହି ନଇ ଉପରେ ସମସ୍ତେ ନିର୍ଭରଶୀଳ । କିନ୍ତୁ ନଇ ଭିତରେ ମୃତ୍ୟୁର ଜନ୍ତା ବସେଇ ଛକି ରହୁଛି କୁମ୍ଭୀର । ନଇକୁ ନଗଲେ ନଚଳେ ଆଉ ନଇକୁ ଗଲେ ପାଣି ଭିତରେ ମୃତ୍ୟୁର ଦୂତ । ଲୋକ ଚଳିବେ କେମିତି ସେ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି ।

Leave A Reply

Your email address will not be published.