ଓଡିଆ ନ୍ୟୁଜ (ବ୍ୟୁରୋ) : ମହାଦେବଙ୍କୁ ଜଳଲାଗି କରିବାକୁ ଯାଉଥିବାବେଳେ ଆଜି ଦୁଇ କାଉଡିଆ ନଦୀର ପ୍ରଖର ସ୍ରୋତରେ ଭାସିଯାଇଛନ୍ତି । ଜଣେ କାଉଡିଆଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କର କୌଣସି ପତ୍ତା ମିଳିନାହିଁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ବରଦା ପଞ୍ଚାୟତ ଅନ୍ତର୍ଗତ ସାଳନ୍ଦୀ ନଦୀରେ। ନିଖୋଜ କାଉଡିଆଙ୍କ ପରିଚୟ ମିଳିନାହିଁ। ନିଖୋଜ କାଉଡିଆଙ୍କ ଘର ବଡ଼ଜୟପୁର ଅଞ୍ଚଳର ହୋଇଥିବା ଜଣାପଡ଼ିଛି।
ସୂଚନାଥାଉକି ଶ୍ରାବଣ ମାସ ଚାଲିଥିବାରୁ କାଉଡିଆମାନେ ଦେବ ଦେବ ମହାଦେବଙ୍କ ପାଖରେ ପାଣି ଢାଳିବାକୁ ଯାଉଛନ୍ତି। ଆଜି ମବାର ଥିବାରୁ ୩ ଜଣ ସାଙ୍ଗ ମହାଦେବଙ୍କ ପାଖକୁ ପାଣି ଭାର ନେଇ ବାହାରିଥିଲେ। ପାଣି ଭାର ନେଇ ଯିବା ପୂର୍ବରୁ ସେମାନେ ସାଳନ୍ଦୀ ନଦୀକୁ ବୁଡ଼ ପକାଇବା ପାଇଁ ଯାଇଥିଲେ। ବୁଡ ପକାଇବା ସମୟରେ ସେମାନଙ୍କ ପାଦ ଖସିଯାଇଥିଲା। ୩ ଜଣ ନଦୀରେ ବୁଡ଼ିଯାଇଥିଲେ। ୩ ଜଣ ସାଙ୍ଗ ବୁଡ଼ି ଯାଉଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରି ଜଣେ କାଉଡିଆଙ୍କୁ ଉଦ୍ଧାର କରିଥିଲେ।ଅନ୍ୟ ଦୁଇ ଜଣଙ୍କର ଖବର ଲେଖାଯିବା ସୁଦ୍ଧା ପତ୍ତା ମିଳିନାହିଁ। ଏଭଳି ଘଟଣା ପାଇଁ ଚାରିଆଡେ ଦୁଃଖ ପ୍ରକାଶ ପାଇଛି ।