ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମାଘ ନ ସରୁଣୁ ରାଜ୍ୟରେ ଗାୟବ ହେଲାଣି ଶୀତ। ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ, ସବୁଠି ଦିନର ତାପମାତ୍ରା ହୁ ହୁ ହୋଇ ବଢ଼ିଚାଲିଛି। ୧୫ ଦିନ ହେଲା ରାତିର ତାପମାତ୍ରା ୨ରୁ ୩ ଡିଗ୍ରି ବଢ଼ିଥିବା ବେଳେ ଆଜି ରାଜ୍ୟର ସମସ୍ତ ସହରର ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରି ଡେଇଁଯାଇଛି।
ସୂଚନା ଥାଉ କି, ବର୍ତ୍ତମାନ ରାଜ୍ୟରେ ଦିନର ତାପମାତ୍ରା ସ୍ବାଭାବିକଠାରୁ ବେଶ ଅଧିକ ରହୁଛି । ସୋମବାର ଟିଟିଲାଗଡ଼ ଓ ଭବାନୀପାଟଣାରେ ତାପମାତ୍ରା ୩୬ ଡିଗ୍ରୀ ପାର କରିଥିବା ବେଳେ ବଲାଙ୍ଗୀର ଓ ଝାରସୁଗୁଡ଼ାରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା । ତେବେ ଆଗକୁ ଉଭୟ ଦିନ ଓ ରାତିର ତାପମାତ୍ରା ଆହୁରି ବଢିପାରେ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି । ତେବେ ଚଳିତ ବର୍ଷ ଶେଷ ସୁଦ୍ଧା ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ନେଇ ଆଶଙ୍କା କରାଯାଉଛି ।
ଯେତେବେଳେ କି ବଲାଙ୍ଗୀରରେ ୩୫.୯, ବୌଦ୍ଧରେ ୩୫.୫, ଝାରସୁଗୁଡ଼ାରେ ୩୫.୪, ସୋନପୁର ଓ ପାରଳାଖେମୁଣ୍ଡିରେ ୩୪.୮, ହୀରାକୁଦ ଓ ମାଲକାନଗିରିରେ ୩୪.୭, ନୟାଗଡ଼ରେ ୩୪.୫, ଭୁବନେଶ୍ବରରେ ୩୪.୪, ରାୟଗଡ଼ାରେ ୩୪.୨, ଅନୁଗୁଳରେ ୩୪.୧, ତାଳଚେରରେ ୩୪ ଡିଗ୍ରି ରହିଥିଲା। ସେହିପରି ରାତିର ସର୍ବନିମ୍ନ ତାପମାତ୍ରା କୋରାପୁଟରେ ୧୨.୨ ଡିଗ୍ରି ଥିଲା। ଅଧିକାଂଶ ସହରରେ ରାତିର ତାପମାତ୍ରା ୨୦ ଡିଗ୍ରି ଟପିଯାଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।