ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ଶୀତର ଲହରୀ ଜାରି, ଘନକୁହୁଡ଼ି ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ । ୨୫ ତାରିଖରୁ ରାଜ୍ୟରେ ଶୀତ ଆହୁରି ବଢ଼ିବ । ରାଜ୍ୟର ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ବହିବ । ଏହା ପ୍ରଭାବରେ ଥରିବ ପୂରା ଓଡ଼ିଶା । ଏଭଳି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ରାଜ୍ୟରେ ପଶ୍ଚିମା ଝଡ଼(ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ) ପ୍ରଭାବ ଥିଲା । ଏବେ ଏହା ଅପସାରଣ ହୋଇସାରିଛି । ପଶ୍ଚିମା ଝଡ଼ ଥିବାରୁ ରାଜ୍ୟକୁ ପୂର୍ବ ଦିଗରୁ ପବନ ଆସୁଥିଲା । ଏହା ପ୍ରଭାବରେ ଶୀତ ଅପେକ୍ଷାକୃତ କମ୍ ଥିଲା । ଏବେ ଉତ୍ତର-ପଶ୍ଚିମ ଦିଗରୁ ଆସିବାକୁ ଥିବା ଥଣ୍ଡା ପବନ ଯୋଗୁ ରାଜ୍ୟରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି ।
ସେପଟେ ଆସନ୍ତା ୨୭ ତାରିଖ ଯାଏ ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିକ୍ଷିପ୍ତ ସ୍ଥାନରେ ଘନ କୁହୁଡ଼ି ଦେଖା ଦେଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବୁଧବାର କୋରାପୁଟରେ ୬ ଡିଗ୍ରୀ, ନବରଙ୍ଗପୁର ଓ ଫୁଲବାଣୀରେ ୮ଡିଗ୍ରୀ, ରାୟଗଡ଼ା, ଭବାନୀପାଟଣା ଓ ବଲାଙ୍ଗୀରରେ ୧୦, କେନ୍ଦୁଝର, ସୋନପୁର, ରାଉରକେଲା ଓ ସୁନ୍ଦରଗଡ଼ରେ ରାତି ତାପମାତ୍ରା ୧୧ ଡିଗ୍ରୀ ରହିପାରେ ।