ଆଜିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ):  ଆରମ୍ଭ ହେଉଛି ବିଧାନସଭାର ଶୀତକାଳୀନ ଅଧିବେଶନ । ବିଭିନ୍ନ ପ୍ରସଙ୍ଗକୁ ନେଇ ବିଧାନସଭା ହୁଲୁସ୍ତୁଲୁ କରିବେ ବିରୋଧୀ । ଏନେଇ ପ୍ରାକ ପ୍ରସ୍ତୁତି ଆରମ୍ଭ କରିଛନ୍ତି କଂଗ୍ରେସ ଓ ବିଜେପି । ସେପଟେ ବିରୋଧୀଙ୍କୁ ମୁକାବିଲା କରିବା ଲାଗି ଯୋଜନା କରିଛି ଶାସକ ଦଳ । ଦିନ ୧୧ଟାରୁ ଆରମ୍ଭ ହେବ ଅଧିବେଶନ । ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ୩୦ଟି କାର୍ଯ୍ୟଦିବସ କାର୍ଯ୍ୟକାରୀ ହେବ ।

ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଶୀତ ଅଧିବେଶନ ବିଧାନସଭାର ଶେଷ ପୂର୍ଣ୍ଣାଙ୍ଗ ଅଧିବେଶନ ହେବ । ଏନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ତେଣୁ ଏଥରର ଶୀତ ଅଧିବେଶନ ଉଷ୍ଣ ରହିବ ବୋଲି ଅନୁମାନ କରାଯାଉଛି। ଆଦିବାସୀ ଜମି ହଡ଼ପ ଅଭିଯୋଗ, ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଓ ଚାରିଦ୍ୱାର ଖୋଲିବା, ମଣ୍ଡି ଅବ୍ୟବସ୍ଥା, ଚାଷୀ ଆତ୍ମହତ୍ୟା, ଆବାସ ଆବଣ୍ଟନରେ ଅନିୟମିତତା ପରି ପ୍ରସଙ୍ଗ ଉଠାଇବାକୁ ବିଜେପି ନିଷ୍ପତ୍ତି ନେଇଛି। ସେପଟେ କଂଗ୍ରେସ କହିଛି ଆଞ୍ଚଳିକ ବୈଷମ୍ୟବାଦ, ପଶ୍ଚିମ ଓଡ଼ିଶା ପ୍ରତି ଅବହେଳା, ମଣ୍ଡି ସମସ୍ୟା, ଆଇନ ଶୃଙ୍ଖଳା, ଦୁର୍ନୀତି, ସୀମା ବିବାଦ, ଦାଦନ, ବେକାରୀ ଭଳି ପ୍ରସଙ୍ଗ ଗୃହରେ ଉଠାଯିବ ବୋଲି ସ୍ପଷ୍ଟ କରିଛି।

ଅନ୍ୟପକ୍ଷରେ ଶାସକ ବିଜେଡି ବି ବିରୋଧୀଙ୍କ ସାମ୍ନା କରିବାକୁ ନିଜକୁ ପ୍ରସ୍ତୁତ କରିଛି। ଶୀତ ଅଧିବେଶନ ଆରମ୍ଭ ପୂର୍ବରୁ ମଙ୍ଗଳବାର ଉପବାଚସ୍ପତି ନିର୍ବାଚନ ପାଇଁ ଔପଚାରିକ ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ସାଢେ ୯ଟା ବେଳେ ବିଧାନସଭାରେ ମତଦାନ ହେବ । ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଏକ ମାତ୍ର ପ୍ରାର୍ଥୀ ନାମାଙ୍କନ କରିଥିବାରୁ ସେ ପରବର୍ତ୍ତୀ ଉପ-ବାଚସ୍ପତି ହେବା ଏକ ପ୍ରକାର ସୁନିଶ୍ଚିତ । ଅନ୍ୟପଟେ ପ୍ରଥମ ଦିନରେ ପୂର୍ବାହ୍ନ ୧୧ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବ । ପ୍ରଥମେ ଦିବଂଗତ ସଦସ୍ୟମାନଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହେବା କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.