ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅଗଷ୍ଟ ୧୨ ସୋମବାର ହେଉଛି ବିଶ୍ୱ ହସ୍ତୀ ଦିବସ। ହାତୀଙ୍କୁ ସୁରକ୍ଷା ଦେବା ସହ ସେମାନଙ୍କ ସଂରକ୍ଷଣ ଦିଗରେ ସଚେତନତା କରିବା ପାଇଁ ଏହି ଦିବସ ପାଳନ କରାଯାଉଛି। କିନ୍ତୁ ବାସ୍ତବରେ ଏମାନଙ୍କ ସୁରକ୍ଷାରେ ଅବହେଳା ଓ ହାତୀ-ମଣିଷ ଲଢ଼େଇ ଯୋଗୁ ଏବେ ଏହି ଐତିହ୍ୟ ପ୍ରାଣୀ ବିପଦରେ। ରାଜ୍ୟରେ ହାତୀ ସଂଖ୍ୟା ବଢ଼ୁଥିଲେ ମଧ୍ୟ ମୃତ୍ୟୁ ଓ ଶିକାର ବଢ଼ୁଥିବାରୁ ଚିନ୍ତା ବଢ଼ିଛି। ପରିବେଶ ଓ ଜଙ୍ଗଲକୁ ସୁରକ୍ଷା ଦେଉଥିବା ଗଜରାଜ ଆଜି ନିଜେ ବିପଦରେ।
ତେଣୁ ଏହି ଐତିହ୍ୟ ପ୍ରାଣୀର ସୁରକ୍ଷା ଏବେ ଅଧିକ ଗୁରୁତ୍ୱ ବହନ କରୁଛି। ହାତୀ-ମଣିଷ ଲଢ଼େଇରେ ହାତୀଙ୍କ ସହ ମଣିଷର ମୃତ୍ୟୁ ଘଟୁଥିବାରୁ ଏହାକୁ ରୋକିବା ବନ ବିଭାଗ ପାଇଁ ଆହ୍ବାନ ହୋଇଛି। ଦେଶରେ ହାତୀଙ୍କ ସମେତ ଅନ୍ୟାନ୍ୟ ବନ୍ୟପ୍ରାଣୀ ଆକ୍ରମଣରେ ଅନେକ ଲୋକ ମୃତ୍ୟୁ ବରଣ କରିଛନ୍ତି । ତେବେ ଏହାରି ମଧ୍ୟରେ ଓଡ଼ିଶାର ସ୍ଥିତି ଏକ ନମ୍ବର ରହିଛି । ହାତୀ ଆକ୍ରମଣରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନରେ ରହିଛି । ହାତୀ ଆକ୍ରମଣରେ ମୃତ୍ୟୁ ବରଣ ଘଟିଥିବା ତଥ୍ୟ ଅନୁଯାୟୀ ୨୦୨୩-୨୪ ମସିହାରେ ସର୍ବାଧିକ ୧୫୪ ରହିଛି । ଯାହା ଦେଶରେ ସର୍ବାଧିକ ଅଟେ । ଦ୍ଵିତୀୟରେ ରହିଛି ପଶ୍ଚିମବଙ୍ଗ ୯୯ ରହିଥିବା ବେଳେ ତୃତୀୟରେ ରହିଛି କର୍ଣ୍ଣାଟକ ଯାହାର ସଂଖ୍ୟା ମାତ୍ର ୮୭ ବୋଲି ରିପୋର୍ଟରେ ଦେଖିବାକୁ ମିଳିଛି ।
ରାଜ୍ୟରେ ଥିବା ୩୮ଟି ବନଖଣ୍ଡରେ ଅଛନ୍ତି ୨୦୯୮ ହାତୀ ରହିଛନ୍ତି । ୭ ବର୍ଷରେ ୧୨୨ ହାତୀଙ୍କ ସଂଖ୍ୟା ବଢ଼ିଛି । ରାଜ୍ୟରେ ପୁରୁଷ ହାତୀଙ୍କ ସଂଖ୍ୟା ୪୭୪ ଓ ମାଇ ହାତୀଙ୍କ ସଂଖ୍ୟା ୧ ହଜାର ୩୯ଟି ହାତୀ ରହିଛନ୍ତି । ଅନ୍ୟପଟେ ଛୁଆ ହାତୀ ଅଛନ୍ତି ମାତ୍ର ୫୯୪ । ଏପଟେ ୨୦୧୭ ମସିହାରେ ରାଜ୍ୟରେ ହାତୀ ସଂଖ୍ୟା ୧୯୭୬ ଟି ହାତୀ ଥିଲେ ବୋଲି କହିଛି ବନ ବିଭାଗ ।