ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ପାଳନ
ଗଣମାଧ୍ୟମର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମର ସ୍ୱାଧୀନତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଗଣମାଧ୍ୟମ ମୁକ୍ତ ହେଲେ ସେ ତାହାର କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ କରିପାରିବ । ଦେଶବାସୀଙ୍କୁ ଗଣମାଧ୍ୟମର ସ୍ୱାଧୀନତାର ମହତ୍ତ୍ୱ ଏବଂ ଚିନ୍ତାଧାରାରେ ସ୍ୱାଧୀନତାର ଅଧିକାରକୁ ପ୍ରତିଷ୍ଠା କରିବା ପାଇଁ ମେ ୩କୁ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ଭାବରେ ପାଳନ କରାଯାଇଥାଏ । ଏହା ସହ ନିଜ ଦାୟିତ୍ୱ ସମ୍ପାଦନ କରୁଥିବା ସମୟରେ ପ୍ରାଣ ହରାଇଥିବା ସାମ୍ବାଦିକ ଏବଂ ଗଣମାଧ୍ୟମ କର୍ମୀମାନଙ୍କ ସ୍ମୃତିରେ ଏହି ଦିନ ପାଳନ କରାଯାଏ । ସେମାନଙ୍କ କତ୍ତ୍ୱର୍ବ୍ୟନିଷ୍ଠାକୁ ସମ୍ମାନ ଜଣାଇବା ପାଇଁ ଏହି ଦିନ ।
ଚଳିତ ବର୍ଷର ଥୀମ୍ ହେଲା ‘Journalism under digital siege’ । ଏହା କେବଳ ସାମ୍ବାଦିକତା କ୍ଷେତ୍ରରେ ଥିବା ବିପଦ ଉପରେ ନୁହେଁ ବରଂ ଡ଼ିଜିଟାଲ ମିଡ଼ିଆ ଉପରେ ଥିବା ଜନସାଧାରଣଙ୍କ ବିଶ୍ୱାସ ଏବଂ ପରିଣାମ ଉପରେ ଆଲେକପାତ କରିଥାଏ ।
୧୯୯୧ ମସିହାରେ ଜାତିସଂଘର ଜନସୂଚନା ବିଭାଗ ‘ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ’ ପାଳନ କରିବାକୁ ପ୍ରଥମେ ପ୍ରସ୍ତାବ ଦେଇଥିଲା । ପରେ ୧୯୯୩ରେ ଏହି ଦିବସ ପାଳନ ନେଇ ଅନୁମୋଦନ ମିଳିଥିଲା ।
କଲମ୍ବିଆର ସାମ୍ବାଦିକ ଗୁଲିଏର୍ମୋ କାନୋ ଇସାଜା(Guillermo Cano Isaza)ଙ୍କୁ ବୋଗୋଟାରେ ଥିବା ତାଙ୍କ ଖବରକାଗଜ ‘ଏଲ୍ ଲସପେକ୍ଟେଡ଼ର’ କାର୍ଯ୍ୟାଳୟ ସମ୍ମୁଖରେ ଗୁଳି କରି ହତ୍ୟା କରାଯାଇଥିଲା । ତେଣୁ ତାଙ୍କରି ସ୍ମୃତିରେ ଏହି ଦିବସରେ ଉଲ୍ଲ୍ଖେନୀୟ କାର୍ଯ୍ୟ କରିିଥିବା ବ୍ୟକ୍ତି ଓ ସଂସ୍ଥାମାନଙ୍କୁ ‘ଗୁଲିଏର୍ମୋ କାନୋ ଇସାଜା ପୁରସ୍କାର’ ଦିଆଯାଏ ।